ଗୁଣପୁର ଅଞ୍ଚଳର ପଥର ପ୍ରିୟ ଲାଞ୍ଜିଆ ସୌରା, ଏବେ ବି ଉଜ୍ଜୀବିତ ଶତାଧିକ ବର୍ଷର ପରମ୍ପରା
ଗୁଣପୁର,(ୱାଇଏନଏସ): ଗୁଣପୁର ନିଜର ପୁରାତନ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱାସ କରୁଥିବା ବିରଳ ଜନଜାତି ଲାଞ୍ଜିଆ ସୌରା । ଲୋପ ପାଇ ଯାଉଥିବା ଚିତ୍ରକଳାକୁ ଉଜ୍ଜୀବିତ କରିବା ସହ ପୂର୍ବ ପୁରୁଷଙ୍କ ପ୍ରତୀକ ଭାବେ ଏହି ଜନଜାତି ସମ୍ପ୍ରଦାୟର ଲୋକେ ଘରର କାନ୍ଥରେ ବିଭିନ୍ନ ପ୍ରକାର ଅଦ୍ଭୁତ ଇଡିତାଲ୍ ଚିତ୍ରକଳା ଆଙ୍କିବା ସହ ଘର ସମ୍ମୁଖ ଓ ଜମି ହୁଡ଼ାରେ ଅତି ସୁନ୍ଦର ଭାବରେ ପଥରକୁ ସଜେଇ ରଖିଥାନ୍ତି । କାନ୍ଥରେ ଇଡିତାଲ୍ ଚିତ୍ରକଳା । ଜମି ହୁଡ଼ା ଓ ଘର ସାମନାରେ ପଥର ପାଚେରୀ । କେଉଁଠି ଧାଡ଼ି ଧାଡ଼ି ତ’ ଅନ୍ୟ କେଉଁଠି ଗୋଲାକାର । ଏ କୌଣସି ପ୍ରସ୍ତର ଯୁଗର ଦୃଶ୍ୟ ନୁହେଁ, ଏ ହେଉଛି ପୂର୍ବଘାଟ ପର୍ବତମାଳାର ପାଦଦେଶରେ ଥିବା ଗୁଣୁପୁର ବ୍ଲକର ଦୁର୍ଗମ ଅଞ୍ଚଳ । ପୁଟାସିଂ, ଜଲତାର, ଟଳଣା, ଶଗଡ଼ା ଆବାଡ଼ା, ଚିନାସାରି ଓ କୁଲସିଂ ପଞ୍ଚାୟତରେ ବସବାସ କରନ୍ତି ଲାଞ୍ଜିଆ ସୌରା । ଏହି ବିରଳ ଜନଜାତି ପଥରକୁ ଭଗବାନ ରୂପରେ ମାନିଥାଆନ୍ତି । ସେଥିପାଇଁ ତ’ ବିଲ ହୁଡ଼ା ହେଉ କି ଘର ସମ୍ମୁଖ ଆପଣ ଦେଖିବାକୁ ପାଇବେ ପଥରକୁ ସୁନ୍ଦର ଭାବେ ଖଞ୍ଜାଯାଇଥିବାର ଆକର୍ଷଣୀୟ ଦୃଶ୍ୟ । ଘର ସମ୍ମୁଖରେ ପଥର ପାଚେରୀ ଘରକୁ ନକରାମତ୍କ ଶକ୍ତିରୁ ରକ୍ଷା କରେ । ଜମିରେ ପଥର ହିଡ଼ ଫସଲକୁ ରୋଗ ଦାଉରୁ ରକ୍ଷା କରେ । ଏପରିକି ଗାଁରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଦଶା କ୍ରିୟା ଦିନ ମୃତ ବ୍ୟକ୍ତିଙ୍କ ନାଁରେ ପଥର ପୋତି ରଖିଥାନ୍ତି । ଯାହା ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦିଏ । ଏମିତି ଅନେକ ବିଶ୍ୱାସ ନେଇ ବଞ୍ଚିଛି ଏହି ସମ୍ପ୍ରଦାୟ ।ବଦୁର୍ଗମ ଗିରି କନ୍ଦରକୁ ନିଜର ଜୀବନ ଜୀବିକା ଭାବେ ଆପଣେଇଥିବା ଏହି ଜନଜାତିଙ୍କ ଜୀବନ ଶୈଳୀ ଓ ବେଶଭୂଷା ଅନ୍ୟ ସମ୍ପ୍ରଦାୟ ଠାରୁ ଟିକେ ନିଆରା । ପାହାଡ଼ ଉପରେ ସୋପାନ ପଦ୍ଧତିରେ ଧାନ, ସପୁରି, ମକା ଓ କଦଳୀ ଚାଷ କରି ନିଜ ଗୁଜାରାଣ ମେଣ୍ଟାଇଥାନ୍ତି । କିନ୍ତୁ ଆଜି ବି ନିଜ ପରମ୍ପରା ଓ ଚିତ୍ରକଳାକୁ ବଞ୍ଚାଇବାର ପ୍ରୟାସ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ, ଏହି ଜନଜାତି ଦେବାଦେବୀଙ୍କ ଭଳି ପିତୃ ପୁରୁଷଙ୍କୁ ମଧ୍ୟ ବେଶ ସମ୍ମାନ ଦେଇ ଥାଆନ୍ତି । ଗ୍ରାମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଦଶା କ୍ରିୟା ଦିନ ମୃତ ବ୍ୟକ୍ତିଙ୍କ ନାମରେ ଗ୍ରାମର ଏକ ସ୍ଥାନରେ ପଥରକୁ ପୋତି ରଖିବା ଦ୍ଵାରା ମୃତ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଏ ବୋଲି ବିଶ୍ବାସ କରନ୍ତି । ତେଣୁ କେଉଁ ଆବାହାନ କାଳରୁ ଆମ ପିତୃ ପୁରୁଷ ମାନେ ପଥରକୁ ବିଶ୍ବାସ କରୁଥିଲେ , ତେଣୁ ଆମେ ମଧ୍ୟ ପଥରକୁ ଖୁବ ବିଶ୍ବାସ କରିବା ସହ ପଥର ସହ ଜଡ଼ିତ ହୋଇ ରହି ଆସୁଛୁ ବୋଲି ଜନ ଜାତିର ସମ୍ପ୍ରଦାୟର ବୀର ଦଳ ବେହେରା, ଜୁନେଶ ଗମାଙ୍ଗ, ରବିନାଥ ଶବର ମତବ୍ୟକ୍ତ କରିଛନ୍ତି, ଆଧୁନିକତାର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ଲୋପ ପାଇ ଯାଉଥିବା ବେଳେ ଲାଞ୍ଜିଆ ସୌରା ଜନ ଜାତିଙ୍କ ପ୍ରୟାସ ନିଶ୍ଚିତ ଭାବେ ସଭ୍ୟ ସମାଜକୁ ତଥା ଆଗାମୀ ଆଦିବାସୀ ପିଢୀଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହି । ଉଗ୍ର ଆଧୁନିକତା ଓ ଜଗତୀକରଣ ମଧ୍ୟରେ ଅନେକ ପ୍ରାଚୀନ ପ୍ରଥା ପରମ୍ପରା ବିଶ୍ବାସ ଲୋପ ପାଇ ଯାଉଥିବା ବେଳେ ଆଦିମ ଜନ ଜାତିଙ୍କ ଏଭଳି ନିଆରା ବିଶ୍ବାସ ବେଶ ଜନାଦୃତ ହୋଇଛି ।


