ବୁଲିବାକୁ ଯାଇ ଦୁର୍ଘଟଣାରେ ଫାର୍ମାସି ଛାତ୍ରଙ୍କ ମୃତ୍ୟୁ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ଭଦ୍ରକ ଜିଲା ବନ୍ତ ଥାନା ଅଧିନ ନିଳୋକ ଗ୍ରାମର ଜଣେ ଫାର୍ମାସୀ ଛାତ୍ର ସାଙ୍ଗ ସାଥୀଙ୍କ ସହିତ ହଦଗଡ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ଛାତ୍ର ଜଣକ ନିଳୋକ ଗ୍ରାମର ଶାନ୍ତନୁ ନାୟକଙ୍କ ଏକମାତ୍ର ପୁଅ ଦେବାଶୀଷ(୨୮) ବୋଲି ଜଣାଯାଇଛି । ପ୍ରକାଶ ଯେ, ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ସାଙ୍ଗ ମାନଙ୍କ ସହିତ ଦେବାଶୀଷ ହଦଗଡ ଡ୍ୟାମ୍ ବୁଲିବାକୁ ଯାଇଥିଲେ । ସେଠାରେ ବୁଲାବୁଲି କରୁଥିବା ହେଳେ ଅପରାହ୍ନ ସମୟରେ ହଠାତ୍ ବର୍ଷା, ପବନ ଓ ବିଜୁଳି ଆରମ୍ଭ ହୋଇଯାଇଥିଲା । ପାଖରେ କୌଣସି କିଛି ଘରଦ୍ୱାର ନଥିବାରୁ ସମସ୍ତେ ନିକଟସ୍ଥ ହଦଗଡ ବଜାରକୁ ଦୌଡିଥିଲେ । ଦେବାଶୀଷ ଦୌଡି ଯାଉଥିବା ବେଳେ ନଦୀ ତଟରେ ଥିବା ଗାର୍ଡ ୱାଲରେ ବାଡେଇ ହୋଇ ପଡି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବାଶୀଷ ବିଟେକ୍ ପରେ ଫାର୍ମାସି କରି ଘରେ ଥିବା ବେଳେ ଆଜିର ଏହି ଦୁଖଃଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।


