ତହସିଲ କାର୍ଯ୍ୟାଳୟ ନିକଟରୁ ପଲିଥିନ ଜବତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ତିହୁଡା-ବ୍ଳକଛକ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଥାନା ଗାଡି ଯିବା ସମୟରେ କେହି ଜଣେ ବ୍ୟକ୍ତି ସାଇକେଲରେ ପ୍ରାୟ ୪ବଣ୍ଡଲ ପଲିଥିନ ଧରି ଯାଉଥିଲା। ଗାଡିର ଲାଇଟ୍ ଦେଖି ଉକ୍ତ ବ୍ୟକ୍ତି ଜଣଙ୍କ ପଲିଥିନକୁ ଫୋପାଡି ଦେଇ ଦୌଡି ପଳାଇଥିଲା। ଏହି ସମୟରେ ଗାଡିରେ ଥିବା ପୋଲିସ କର୍ମଚାରୀ ଉକ୍ତ ବ୍ୟକ୍ତି ଜଣଙ୍କୁ ପିଛା କରିଥିଲେ ମଧ୍ୟ ତାକୁ ଧରି ପାରି ନଥିଲେ। ଶେଷରେ ପଲିଥିନକୁ ଜବତ କରି ଥାନାକୁ ଆଣିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତହସିଲ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁଃସ୍ଥ ଓ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପଲିଥିନ ଗଚ୍ଛିତ ହୋଇରହିଛି। ଉକ୍ତ ପଲିଥିନକୁ ସେହି କାର୍ଯ୍ୟାଳୟରୁ ଅଣାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟାଳୟର କିଛି କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଯଦି ଏପରି ଘଟଣା ଘଟି ନଥିବ ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କିପରି ଏତେ ରାତିରେ ପିଲଥିନ ନେବାକୁ ସାହସ ଜୁଟାଇଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ପଲିଥିନ କେଉଁଠୁ ଆସିଲା ଓ କାହା ଇଙ୍ଗିତରେ ବିଳମ୍ବିତ ରାତିରେ ପଲିଥିନ ଯାଉଥିଲା, ପୂର୍ବରୁ ଏହି କାର୍ଯ୍ୟାଳୟରୁ ପଲିଥିନ ବାହାରକୁ ଯାଇଛି କି ନାହିଁ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିକୁ ଯାଂଚ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।ଏବିଷୟରେ ତହସିଲଦାର ଅକ୍ଷୟ କୁମାର ବଡୁଙ୍କୁ ପଚାରିବାରେ ପଲିଥିନ ରହିଥିବା ଷ୍ଟକ ରୁମ ତାଲା ପଡି ରହିଥିବା ବେଳେ ଏହି ଘଟଣା ବିଷୟରେ ସେ ଜାଣି ନଥିବା କହିଥିଲେ। ସେହିପରି ଥାନାଧିକାରୀ ଦେବାଶିଷ ପଣ୍ଡାଙ୍କୁ ପଚାରିବାରେ ପଲିଥିନ ଜବତ କରାଯାଇ ରଖାଯାଇଛି ତଦନ୍ତ ଜାରି ରହିଥିବା କହିଥିଲେ।


