ଡ୍ୟାମ ନିକଟକୁ ଭୋଜି କରିବାକୁ ଯାଇଥିବା ବେଳେ ଯୁବକଙ୍କ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପର୍ଯ୍ୟଟନସ୍ଥଳୀ ହଦଗଡ଼ ଡ୍ୟାମ ନିକଟରେ ଘଟିଛି ଅଘଟଣା। ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସିଥିବା ଜଣେ ଯୁବକଙ୍କ ସଳନ୍ଦୀରେ ବୁଡି ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବନ୍ତ ବ୍ଲକ୍ ଅନ୍ତର୍ଗତ ନୀଳକ ପଞ୍ଚାୟତ ନୀଳକ ଗ୍ରାମର ଶାନ୍ତନୁ ନାୟକଙ୍କ ପୁଅ ଦେବାଶିଷ ନାୟକ ବୋଲି ଜଣା ପଡ଼ିଛି।ସୂଚନା ଅନୁଯାୟୀ, ପ୍ରାୟ ୧୫ ଜଣ ସାଙ୍ଗ ହଦଗଡ଼ ଡ୍ୟାମକୁ ଭୋଜି କରିବା ପାଇଁ ଯାଇଥିଲେ। ସମସ୍ତେ ଡ୍ୟାମ ସମ୍ମୁଖ କୁଣ୍ଡରେ ଗାଧୋଉଥିବା ସମୟରେ ହଠାତ୍ ପ୍ରବଳ ବର୍ଷା ପବନ ହୋଇଥିଲା। ନିଜକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ସାଙ୍ଗମାନେ ସୁରକ୍ଷିତ ଜାଗାକୁ ଦୌଡ଼ି ପଳାଇ ଆସିଥିଲେ, କିନ୍ତୁ ଦେବାଶିଷର ଜୋତା ଖସିଯିବାରୁ ସେ ନିଜ ଜୋତାଟି ଆଣିବା ପାଇଁ ପୁଣି ପାଣି ଭିତରକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ଅଘଟଣର ଶିକାର ହୋଇଥିଲେ। ସାଙ୍ଗମାନେ ବହୁ ସମୟ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଏକ ଘରୋଇ କାରରେ ତୁରନ୍ତ ତାଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି।


