ଜଳବନ୍ଦୀରେ ବସଷ୍ଟାଣ୍ଡ ଅଞ୍ଚଳ ବାସିନ୍ଦା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ  ବସଷ୍ଟାଣ୍ଡ ଇଲାକା ର ଉତ୍ତର ଓ ଦକ୍ଷିଣ ସାହି ରେ ଘରକରି ରହୁଥିବା ବାସିନ୍ଦା  ଓ ଦୋକାନ କରି ବ୍ୟବସାୟ କରୁଥିବା ଲୋକେ ଦୀର୍ଘ ୪ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ସାମାନ୍ୟ ବର୍ଷା ହେଲେ ବର୍ଷାଜଳ ଓ ରାସ୍ତାକଡ ନର୍ଦ୍ଦମା ପାଣି ଘର ଓ ଦୋକାନ ମାନଙ୍କରେ ପଶୁଛି।  ମୁଖ୍ୟରାସ୍ତାର ଉଭୟ କଡ଼ରେ ଜମି ରହୁଥିବା ବର୍ଷାପାଣି, ନାଳ ନର୍ଦ୍ଦମାର ଦୂଷିତ ଜଳର ସ୍ଥାୟୀ ନିଷ୍କାସନ ଦାବିରେ ଗୁରୁବାର ବହୁସଂଖ୍ୟକ ବାସିନ୍ଦା ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଶୁକ୍ରବାର ସକାଳ ସୁଦ୍ଧା ପ୍ରଶାସନ ପକ୍ଷରୁ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ  ବସଷ୍ଟାଣ୍ଡ ଠାରେ ରାସ୍ତାରୋକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।   ଦିଗପହଣ୍ଡି ସହର ଗଞ୍ଜାମ ଜିଲା ର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ପ୍ରତିଦିନ ଏହି ବସଷ୍ଟାଣ୍ଡ ଇଲାକାକୁ   ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ବ୍ୟବସାୟ ପାଇଁ ଆସିଥାନ୍ତି । ଏଠାରେ ୨ ଟି ପ୍ରମୁଖ  ବ୍ୟାଙ୍କ , ଏଟିଏମ୍ ଏବଂ  ଛାତ୍ରୀ ଛାତ୍ରଙ୍କ ତାଲିମ ନିମନ୍ତେ କମ୍ପୁଟର ସେଣ୍ଟର ରହିଛି।  ସାମାନ୍ୟ ବର୍ଷା ହେଲେ ଏହି ୧୭ ନଂ. ରାଜ୍ୟରାଜପଥ ଅଧିନ ଏହି ମୁଖ୍ୟରାସ୍ତା  କୁତ୍ରିମ ବନ୍ୟା ସୃଷ୍ଟି ହେବା ସହ ନାଳ ନର୍ଦ୍ଦମାର ଦୂଷିତ ପାଣି ରାସ୍ତା ଉପରେ ଲହଡ଼ି ମାରୁଛି।  ବର୍ଷା ଜଳ ଓ  ନାଳ ନର୍ଦ୍ଦମାର ଦୂଷିତ ପାଣି ଡ୍ରେନ ଯୋଗେ ନିଷ୍କାସନ ନ ହେବାରୁ ବସଷ୍ଟାଣ୍ଡର ଉଭୟ ପାର୍ଶ୍ବରେ ୩ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଛି । ଯାହାଦ୍ବାରା ସ୍ଥାନୀୟ ଜନସାଧାରଣ , ବ୍ୟାଙ୍କସେବା ନିମନ୍ତେ ଦୂରଦୂରାନ୍ତର ଆସୁଥିବା ଗ୍ରାହକ ଏବଂ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଆସୁଥିବା  ଛାତ୍ରୀ ଛାତ୍ର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ରାସ୍ତାରେ ଦୀର୍ଘ ଦିନଧରି ପାଣି ଜମି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ଦ୍ବାରା ସ୍ଥାନୀୟ ବାସିନ୍ଦା ନିଜକୁ ଅସ୍ୱାସ୍ଥ୍ୟକର ମନେ କରୁଛନ୍ତି ।ଲୋକଙ୍କ  କୂଅ , ନଳକୂପର ଜଳ ଦୂଷିତ ହୋଇ ବ୍ୟବହାର ଯୋଗ୍ୟ ହୋଇପାରୁନଥିବା ସ୍ଥାନୀୟ ବାସିନ୍ଦା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ପୂର୍ବରୁ ସ୍ଥାନୀୟ ବାସିନ୍ଦା  ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଏହାର ସମାଧାନ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଗୁରୁବାର ଅପରାହ୍ନରେ ସ୍ଥାନୀୟ ତହସିଲଦାର  ଙ୍କ  ସମେତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ ମହାରଣା , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ନଗରପାଳ ପ୍ରଫୁଲ୍ଲ ପଣ୍ଡା , କାଉନସିଲର ଦୀପକ କୁମାର ମିଶ୍ର , ରାଜସ୍ବ ନୀରିକ୍ଷକ ଉପେନ୍ଦ୍ର ବେହେରା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ବର୍ଷାପାଣି, ନାଳ ନର୍ଦ୍ଦମା ଜଳ କିଭଳି ନିଷ୍କାସିତ ହୋଇପାରିବ ସେ ନେଇ ଆଲୋଚନା କରି ଫେରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ