ବସ୍ କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ୪ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ୨୫ ତାରିଖ ସକାଳେ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଏକ ଘରୋଇ ଯାତ୍ରୀବାହୀ ବସ୍ କଣ୍ଡକ୍ଟରଙ୍କୁ ଆକ୍ରମଣ କରିବା ସହ ସୁନା ଚେନ ଓ ଟଙ୍କା ଲୁଟ୍ ଅଭିଯୋଗରେ ହିଞ୍ଜିଳି ପୁଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ସ୍ଥାନୀୟ ପୌରାଞ୍ଚଳ ପାଟଣା ସାହିର ଦିପୁ ଦାସ (୧୮) ଓ ଫାୟାର ଷ୍ଟେସନ ରୋଡ ଅଞ୍ଚଳର ମାଧବ ଦାସ (୧୮) । ପୂର୍ବରୁ ହିଞ୍ଜିଳି ପୁଲିସ ସ୍ଥାନୀୟ ପୌରାଞ୍ଚଳର ୨ ଜଣ ନାବାଳକଙ୍କୁ ଗିରଫ କରିଥିଲା । ସଂପୃକ୍ତ ଘଟଣାରେ ଗିରଫ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୨୬୩/୨୬ ରେ ଏକ ମାମଲା ରୁଜୁ କରି ଗିରଫ ୨ ଯୁବକଙ୍କୁ ଗୁରୁବାର କୋର୍ଟ ଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ରଶ୍ମିରଞ୍ଜନ ସାମଲଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ୨୫ ତାରିଖ ସକାଳେ ଭଞ୍ଜନଗର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭ବିଏ ୬୭୩୭) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇ ବସ୍ ଚାଳକ ବ୍ରହ୍ମପୁର ଅଭିମୁଖେ ଯିବାକୁ ଉଦ୍ୟମ କରୁଥିବା ବେଳେ କିଛି ଯୁବକ ଆସି ବସ୍ କଣ୍ଡକ୍ଟରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କଣ୍ଡକ୍ଟର ଜଣଙ୍କ ଏହାର ପ୍ରତିବାଦ କରିବାରୁ ସଂପୃକ୍ତ ଯୁବକ ମାନେ ମିଶି କଣ୍ଡକ୍ଟରଙ୍କୁ ମାଡ ମାରିବା ସହ ବେକରୁ ସୁନାଚେନ୍ ଓ ପକେଟରୁ ୬ ହଜାର ଟଙ୍କା ଲୁଟି ନେଇଥିବା ନେଇ ବସ୍ କଣ୍ଡକ୍ଟର ଜଣଙ୍କ ଅଭିଯୋଗ କରିଥିଲେ। ପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ପାଟଣା ସାହିର ଦିପୁ ଦାସ ଏକ ପଥରରେ କଣ୍ଡକ୍ଟରଙ୍କୁ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରେ କଣ୍ଡକ୍ଟର ଜଣଙ୍କ ଗୁରୁତର ଆହତ ହୋଇଥିଲେ। ବସ୍ ହେଲପର ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ। ଆକ୍ରମଣରେ ଆହତ ବସ୍ କଣ୍ଡକ୍ଟର ବେଲଗୁଣ୍ଠା ଥାନା ଉଡରା ଗ୍ରାମର ଦିପକ ଗୌଡ ଓ ହେଲପର ଗଙ୍ଗାଧର ପ୍ରଧାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ବସ୍ କଣ୍ଡକ୍ଟର ଦିପକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ