ଗୋଷ୍ଠୀ ସଂଘର୍ଷ ଘଟଣା: ୨ ପୃଥକ ମାମଲା ରୁଜୁ, ଉଭୟ ଗୋଷ୍ଠୀର ୧୦ ଗିରଫ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ସଂପୃକ୍ତ ଗୋଷ୍ଠୀ ସଂଘର୍ଷ ଘଟଣାରେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ମାଧବ ଗୌଡ ଓ ବିଜୟ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।‌ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଘଟଣା ନେଇ ହିଞ୍ଜିଳି ଥାନାରେ କେସ ନଂ – ୩୦୧ ଓ ୩୦୨/୨୬ ରେ ୨ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରି ଉଭୟ ଗୋଷ୍ଠୀର ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ରାମଚନ୍ଦ୍ର ଗୌଡ (୬୬), ସାଗର ଗୌଡ (୨୭), ଜଗନ୍ନାଥ ଗୌଡ (୩୪), ବିକାଶ ଗୌଡ (୨୧), ବିନୋଦ ଗୌଡ (୪୬), ରଞ୍ଜନ ଗୌଡ (୩୬) ଓ ଅପର ଗୋଷ୍ଠୀର କେଳୁ ଚରଣ ପ୍ରଧାନ (୨୭), ମହେଶ୍ୱର ପ୍ରଧାନ (୫୪) ଓ କାହ୍ନା ପ୍ରଧାନ (୨୫) । ଗିରଫ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ମାନଙ୍କ ଠାରୁ ଷ୍ଟିଲ ରଡ୍, ଲୁହା ପିଠାପାତିଆ ଓ ଠେଙ୍ଗା ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାରେ ସଂପୃକ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।
ପ୍ରକାଶ ଯେ, ସୋମପୁର ଗ୍ରାମରେ ଇଶାଣେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଗତ ୨୯ ତାରିଖରେ ସେହି ଗ୍ରାମର ଲୋଚନ ଗୌଡଙ୍କ ପୁଅ ବାହାଘର ପାଇଁ ଡିଜେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ବିଜୟ ପ୍ରଧାନ ଓ ବିକାଶ ଗୌଡ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବ ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କିଛି ସମୟ ପରେ ଅନ୍ୟ ଗୋଷ୍ଠୀର ୪ରୁ ୫ ଜଣ ଯୁବକ ମାରଣାସ୍ତ୍ର ସହ ସେଠାରେ ପହଞ୍ଚି ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଘଟଣା ନେଇ ୨୯ ତାରିଖରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୩୦ ତାରିଖରେ ଉଭୟ ଗୋଷ୍ଠୀ ଓ କିଛି ମଧ୍ୟସ୍ଥିଙ୍କ ଉପସ୍ଥିତିରେ ହିଞ୍ଜିଳି ଥାନାରେ ଆପୋଷ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇ ଫେରିଥିଲେ ‌। ବୁଧବାର ଗୌଡ ପରିବାରର ମାଛଶାଗ ଭୋଜି ଚାଲିଥିବା ବେଳେ ପ୍ରଧାନ ଗୋଷ୍ଠୀର କିଛି ଯୁବକ ଓ ଗୌଡ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଥା କଟାକଟି ହୋଈ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ମାରଣାସ୍ତ୍ର ଧରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ। ଉଭୟ ଗୋଷ୍ଠୀର‌ ଆକ୍ରମଣ ଓ‌ ପ୍ରତି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣା ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।‌ ଦିଲ୍ଲିପ ପ୍ରଧାନଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ – ୩୦୧/୨୬ ରେ ଏକ ମାମଲା ରୁଜୁ କରି ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ରାମଚନ୍ଦ୍ର ଗୌଡଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ – ୩୦୨/୨୬ ରେ ଆଉ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅନ୍ୟ କିଛି ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ପୁଲିସ ଅନୁମାନ କରୁଛି। ଘଟଣାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ