ଶ୍ରୀକ୍ଷେତ୍ରେ ଭଉଁରୀ
ସରି ସରି ଆସୁଅଛି ଚନ୍ଦନ ଯାତ
ଭଉଁରୀରେ ଯାତ ଶେଷ ଭ୍ରମ ଲୋ ମିତ ।
ଅକ୍ଷୟ ତୃତୀୟା ଦିନ ଆରମ୍ଭ ହେଲା
ଏକୋଇଶ ଦିନ ବାହ୍ଯେ ଯାତ୍ରା ଚାଲିଲା ।
ବଇଶାଖ ଜ୍ଯେଷ୍ଠେ ଗ୍ରୀଷ୍ମ ଝାଞ୍ଜି ତପତ
ଶ୍ରୀଅଙ୍ଗକୁ ଛୁଇଁଦେଲେ ଲାଗେ ଉତ୍ତପ୍ତ ।
ଶ୍ରୀଅଙ୍ଗ ଶୀତଳ ପ୍ରଭୁ କରିବାପାଇଁ
ସର୍ବାଙ୍ଗେ ଚନ୍ଦନ ବୋଳି ଜଗତ ସାଇଁ ।
ମଦନମୋହନ ମଣିବିମାନେ ବିଜେ
ଭୂଦେବୀ ଶ୍ରୀଦେବୀ ବେନି ପାରୁଷେ ସାଜେ ।
ରାମକୃଷ୍ଣ ବେନି ଭାଇ ଅଛନ୍ତି ଚାହିଁ
ପଞ୍ଚସାଗର ଆସନ୍ତି ନରେନ୍ଦ୍ର ଧାଇଁ ।
ଏଣେ ଚାପ ଖେଳ ତେଣେ ଚକ ତିଆରି
ଅଖ ଚକ ଯୋଖା ହେବ ଆସେ ଭଉଁରୀ ।
ଚନ୍ଦନ ଚକଡା ପରେ ଜଗତ ସାଇଁ
ମଣ୍ଡଳାକାରରେ ଚାପ ଖେଳନ୍ତି ଯହିଁ ।
ଏକୋଇଶ ଘେରା ବୁଲି ସମୟ ଶେଷ
ତେଣେ ରଥଚକ ଡାକେ ଆସ ମୋ ପାଶ ।
ଫେରିବା ବାଟରେ ଚାହିଁ ଦେବ ହେ ପ୍ରଭୁ
ବୟାଳିଶ ଚକ ଆମେ ଗଢା ହୋଇବୁ।
ରଥଯାତ ସେବା ପାଇଁ ହେବୁ ପ୍ରସ୍ତୁତ
ରଥପରେ ବିଜେ ହେବ ଜଗତନାଥ ।
ବୟାଳିଶ ଦିନେ ଅନ୍ତ ଚନ୍ଦନ ଯାତ
ବୟାଳିଶ ଚକ ଆମ୍ଭେ ହେବୁ ପ୍ରସ୍ତୁତ ।
ଗଡି ଗଡି ଯିବୁ ଆମେ ଗୁଣ୍ଡିଚାଘର
ଫରି ଆସିବୁ ଘୂରି ଘୂରି ଶ୍ରୀମନ୍ଦିର ।
ଏକୋଇଶି ଏକୋଇଶି ଯେ ବୟାଳିଶି
ବୟାଳିଶି ଯାଏ ଆସେ ମିଶି ଚୌରାଶି ।
ସମୟ ଖେଳ କରିଛି ଋତୁଙ୍କୁ କୋଳ
ସବୁଠାରେ ଲାଗିଅଛି ଭଉଁରୀ ଖେଳ ।

ଗଦାଧର ସାହୁ,
ବ୍ରହ୍ମଗିରିର,ପୁରୀ


