ମାଙ୍କଡଡିଆଁ ଜଳପ୍ରପାତରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ଥିବା ପ୍ରଖ୍ୟାତ ମାଙ୍କଡଡିଆଁ ଜଳପ୍ରପାତରୁ ଗତକାଲି ରବିବାର ଜଣେ ଅଧ୍ୟାପକ ଅଭିଜି ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ମଧ୍ୟାହ୍ନ ସମୟରେ କିଛି ପର୍ଯ୍ୟଟକ ମାଙ୍କଡଡିଆଁ ଜଳପ୍ରପାତକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖ୍ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଦେଖ୍ ଫେରି ଯାଇଥିଲେ । ଆର. ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ କରିଥିଲା।ପ୍ରାଥମିକ ତଦନ୍ତରୁ ମୃତକ ଅଭିଜିତଙ୍କ ଘର ଜଗତସିଂପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଅଭିଜିତ ବ୍ରହ୍ମପୁରର ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ପରିବାର ଲୋକ ପହଞ୍ଚିବା ପରେ ଆଜି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ପଠା ଯାଇଛି. ଘଟଣା ନେଇ ଆର. ଉଦୟଗିରି ପୋଲିସ ଏକ ମକଦ୍ଦ୍ୱମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି.


