ଆଜି ବିଶ୍ୱ ସେବିକା ଦିବସ

ଆସିକା (ୱାଇଏନ୍‍ଏସ୍‍): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ତଥା ସେବିକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଥିବା ଦେଖିବାକୁ ମିଳୁଛି । ନର୍ସ ବା ସେବିକାମାନେ ବିଭିନ୍ନ ସମୟରେ ନାନା ଝଡଝଞ୍ଜା ଓ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନରୁ ପଛକୁ ଫେରୁନଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । କରୋନା ମହାମାରୀ ଭଳି ସଂକଟ ବେଳେ ମଧ୍ୟ ସାରା ବିଶ୍ୱରେ ନର୍ସ ମାନଙ୍କ ରୋଗୀସେବା ଚିର ସ୍ମରଣୀୟ ଥିଲା । ନର୍ସ ବା ସେବିକାମାନଙ୍କ ତ୍ୟାଗ ଓ ସେବା ମନୋବୃତ୍ତିକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମେ ମାସ ୧୨ ତାରିଖରେ ବିଶ୍ୱ ସେବିକା ଦିବସ ପାଳିତ ହୋଇଥାଏ । ଏହି ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର) ରେ କାର୍ଯ୍ୟରତ ନର୍ସିଂ ଅଫିସର ଅର୍ଚ୍ଚନା ମହାନ୍ତିଙ୍କ ସ୍ୱାସ୍ଥ୍ୟସେବା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ନର୍ସିଂ ଅଫିସର ଅର୍ଚ୍ଚନା ମହାନ୍ତିଙ୍କ ଦୀର୍ଘ ୨ ବର୍ଷର ଅଭିଜ୍ଞତା ରହିଥିଲା ବେଳେ ସେ ରୋଗୀସେବାକୁ ଆଜୀବନ ବ୍ରତ ଭାବେ ଗ୍ରହଣ କରିନେଇଛନ୍ତି । ପାଠପଢା ଶେଷ ପରେ ନିଜ ପରିବାରବର୍ଗଙ୍କ ମାର୍ଗଦର୍ଶନରେ ରୋଗୀସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଭୂବନେଶ୍ୱରରେ ନର୍ସିଂ ପାଠ୍ୟକ୍ରମରେ ସ୍ନାତକ ବିଜ୍ଞାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ନିଜର କର୍ମମୟ ଜୀବନ ଆରମ୍ଭ କରି ରୋଗୀଙ୍କୁ ସେବା ଯୋଗାଇ ଦେଇଆସୁଥିବା ଦେଖିବାକୁ ମିଳୁଛି । ନର୍ସିଂ ଅଫିସର ଅର୍ଚ୍ଚନା ମହାନ୍ତି ରୋଗୀଙ୍କୁ ସେବା ପ୍ରଦାନ ସାଙ୍ଗକୁ ସେମାନଙ୍କ ସହ ଉତ୍ତମ ଭାବ ବିନିମୟ କରିବା ଓ ମାନସିକ ସ୍ତରରେ ସୁସ୍ଥ ଲାଗି ମନୋବଳ ବୃଦ୍ଧି ପାଇଁ ଚଳାଇଥିବା ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତଯୋଦ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ନର୍ସିଂ ଅଫିସର ଅର୍ଚ୍ଚନା ମହାନ୍ତି ଚିରିତ୍ସା ଲାଗି ଆସୁଥିବା ରୋଗୀଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କୁ ମଧ୍ୟ ନିଜ ପରିବାରର ସଦସ୍ୟ ଭଳି ଅତି ଆଦରରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ବେଳେ ତାଙ୍କୁ ଏହି କାର୍ଯ୍ୟରେ ବିଶେଷ ଆତ୍ମସନ୍ତୋଷ ମିଳିଥାଏ ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ