ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଗୋପାଳ ସମାଜ କୋଠ ଘର ପରିସରରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆଇନଜୀବି କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼ ଅଧ୍ୟକ୍ଷତା କରିଥିଲେ ।ଦକ୍ଷିଣ ଓଡ଼ିଶା ବିକାଶ ସମିତି ର ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ସଭାରେ ଯୋଗଦେଇ ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର- ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ସର୍ଭେ ସରିଛି।ଏହି ନୂତନ ରେଳ ଲାଇନ୍ ଗୋପାଳପୁର ଠାରୁ ଜଗନ୍ନାଥପୁର,ଗୁରୁଣ୍ଠୀ,ବାଲିପଡ଼ା,ଅନଙ୍ଗପୁର, ଦିଗପହଣ୍ଡି,ଗୁମା, ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ଦେଇ ଗଜପତି ଜିଲା ଚାନ୍ଦିପୁଟ, ଅନ୍ତର୍ବା ଠାରୁ ରାୟଗଡ଼ା କୁ ଏହି ରେଳ ଲାଇନ ସଂଯୋଗ କରିବ। କିନ୍ତୁ ଓଡ଼ିଶା ପ୍ରତି ଅସହିନଷ୍ଟୁ ଆନ୍ଧ୍ରର କିଛି ମୁଷ୍ଟିମେୟ ରେଲୱେ ଅଧିକାରୀ ଉକ୍ତ ସର୍ଭେ ରିପୋର୍ଟ କୁ ବଦଳାଇ ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ରେଲୱେ ଲାଇନ୍ କୁ ଗୋପାଳପୁର ରୁ କନ୍ଧମାଳ ଭାୟା ଗଜପତି ଦେଇ ରାୟଗଡ଼ା କୁ ସଂଯୋଗ ପାଇଁ ଯୋଜନାବଦ୍ଧ ଉଦ୍ୟମ ଚଳାଇଛନ୍ତି।ତେଣୁ ପୂର୍ବରୁ ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ନୂଆ ରେଳ ଲାଇନ୍ ନିର୍ମାଣ କରିବା ପାଇଁ ସେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ପୂର୍ବତଟ ରେଲୱେ ମୁଖ୍ୟ ପ୍ରବନ୍ଧକ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହ ଏହି ନୂତନ ରେଳ ଲାଇନ କାମ ତୁରନ୍ତ ଆରମ୍ଭ କରିବା ପାଇଁ ସେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିଲେ। ତୃତୀୟ ପାଳି ପାଇଁ କେନ୍ଦ୍ରରେ ଭାଜପା ନେତୃତ୍ଵାଧୀନ ସରକାର ଆସିବା ପରେ ଗଞ୍ଜାମ ଜିଲା ଚିକିଟି ନିକଟ ବାହୁଦା ନଦୀ ମୁହାଣରେ ପ୍ରସ୍ତାବିତ ବୃହତ ବନ୍ଦର ନିର୍ମାଣ ନିମନ୍ତେ ରାଜ୍ୟସରକାରଙ୍କ ମଞ୍ଜୁରୀ ମିଳିଛି। ବାହୁଦା ବନ୍ଦର ସହ ଗୋପାଳପୁର ବନ୍ଦର କୁ ନୂତନ ରେଳ ଲାଇନ୍ ନିର୍ମାଣ କରାଯିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ସମିତି ପକ୍ଷରୁ ପୂର୍ବରୁ ଦାବୀ କରାଯାଇଥିବା ନେଇ ସେ ସଭାରେ ଉଲ୍ଲେଖ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନକୁ ବାଇପାସ୍ କରି ଏହି ରେଳ ଲାଇନ୍ ସିଧାସଳଖ ଚିକିଟି ନିକଟସ୍ଥ ପ୍ରସ୍ତାବିତ ବାହୁଦା ବନ୍ଦରକୁ ସଂଯୋଗ ହୋଇପାରିବ। ନୂତନ ରେଲୱେ ଲାଇନ୍ ବ୍ରହ୍ମପୁର ରିଙ୍ଗ ରୋଡ୍ ଦେଇ ଲାଞ୍ଜିଆ – ଦକ୍ଷିଣପୁର ରୁ ହଳଦିଆପଦର ନିକଟରେ ଚେନ୍ନାଇ-ହାୱଡ଼ା ମୁଖ୍ୟ ରେଳ ଲାଇନରେ ସଂଯୋଗ ହୋଇପାରିବ। ଫଳରେ ବ୍ରହ୍ମପୁର ରେଲୱେ ଷ୍ଟେସନରେ ଭିଡ଼କୁ ରୋକାଯାଇ ବାହୁଦା ବନ୍ଦରକୁ ମାଲ୍ ପରିବହନ ସହଜ ହୋଇପାରିବ। ପ୍ରାରମ୍ଭିକ ସର୍ଭେରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ନୂତନ ରେଳ ଲାଇନ ଦ୍ଵାରା ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶ ସାଙ୍ଗକୁ ବ୍ୟବସାୟିକ ସଫଳତା ବୃଦ୍ଧି ପାଇବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ସଭାରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର କାର୍ଯ୍ୟକର୍ତ୍ତା ସୁଜିତ କୁମାର ତ୍ରିପାଠୀ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସରପଞ୍ଚ ମନୋରଞ୍ଜନ ଗୌଡ଼,ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ,ରବିଚନ୍ଦ୍ର ଗୌଡ଼,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ,ପ୍ରଫୁଲ୍ଲ ମହାନ୍ତି, ବାୟାଧର ଗୌଡ଼,ଆଇନଜୀବି ନକୁଳ ପ୍ରଧାନ, ସାମାଜିକ କର୍ମୀ ବୃନ୍ଦାବନ ପଣ୍ଡା, ଶୁଭେନ୍ଦୁ ପାଢ଼ୀ,ପ୍ରକାଶ ସେଠୀ,ସନ୍ତୋଷ ସାହୁ,ମାଗତା ପ୍ରଧାନ,ସନ୍ତୋଷ ଗୌଡ଼,ପ୍ରଦୀପ ବକ୍ସି, ସିମାଞ୍ଚଳ ଗୌଡ଼,ମନୋରଞ୍ଜନ ରଇତ,ବିଜୟ ମଲ୍ଲିକ, ରମେଶ ଗମାଙ୍ଗ,ବିଶ୍ଵନାଥ ଗମାଙ୍ଗ,ପ୍ରକାଶ ଗୌଡ଼ ପ୍ରମୁଖ ଶତାଧିକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।