ରାତିରେ ମାଟି ମାଫିଆ ସକ୍ରିୟ: ଆଖି ବୁଝି ଦେଇଛି ବିଭାଗୀୟ ଅଧିକାରୀ
କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ) :କିଛି ମାସ ହେବ ଏବେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ତହସିଲ ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ମାଟି ଓ ବାଲି ମାଫିଆ । ସରକାରୀ ନିୟମ ଉଲ୍ଲଘନ କରି ଦିନରାତି ସେମାନେ ମାଟି ଉତ୍ତୋଳନ ସହ ଚୋରା ଚାଲାଣ କରୁଛନ୍ତି । ବେଆଇନି ଭାବେ ଲୋକଙ୍କ ଚାଷ ଜମିକୁ ରାତିରାତି ପୋଖରୀରେ ପରିବର୍ତ୍ତନ କରି ଦେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଅସ୍ତରଙ୍ଗ ତହସିଲ ନିକଟସ୍ଥ ଶିଶୁଅ ପଂଚାୟତ ଅଧୀନ ବେଳଙ୍ଗ, କେଉଟଜଙ୍ଘା,ଅସ୍ତରଙ୍ଗ ବାଲିଆ ପଟା ସମେତ କାକଟପୁର ତହସିଲ ଅଧୀନ ବିଭିନ୍ନ ପଂଚାୟତ ରେ ଦେଖିବା କୁ ମିଳୁଛି । ସବୁ ଜାଣି ବିଭାଗୀୟ ଅଧିକାରୀ ଓ ଥାନା କର୍ମଚାରୀ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି ।କେତେବେଳେ ବାଲି ତ ଆଉ ଏବେ କିଛି ମାସ ହେବ ମାଟି ଉପରେ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏହି ବେଆଇନି କାମ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ପ୍ରାୟତଃ ଫେବୃଆରୀ ରୁ ମାଟି ଉତ୍ତୋଳନ ଆରମ୍ଭ ହୋଇ ବର୍ଷା ଋତୁ ପର୍ଯ୍ୟନ୍ତ ଚାଲେ । ପୂର୍ବଅପେକ୍ଷା ଜନସଂଖ୍ୟା ବୃଦ୍ଧି ପାଉଛି। ସେହି ତୁଳନାରେ ବାସ ଗୃହ ବଢୁଛି। ଗ୍ରାମାଞ୍ଚଳ ରେ ଲୋକେ ପୂର୍ବ ଅପେକ୍ଷା ଗାଁ ଭିତରେ ନ ରହି ଯାତାୟାତ ସୁବିଧା ଥିବା ସ୍ଥାନରେ ଘର ତିଆରି କରୁଛନ୍ତି ।ହେଲେ ଅଧିକାଂଶ ଘର ତଳିଆ ଅଂଚଳରେ ହେଉଛି। ଏଥିପାଇଁ ମାଟି ପକାଇ ସେହି ଜାଗାକୁ ପୋତାଯାଉଛି। ଏହା ସହ ମାଟିର ଇଟା ପାଇଁ ବେଆଇନି ଇଟା ବ୍ୟବସାୟୀ ମାଟି ସଂଗ୍ରହ କରି ରଖୁଛନ୍ତି। ଏହି ଚାହିଦା କୁ ଦୃଷ୍ଟିରେ ରଖି ମାଟି ମାଫିଆ ସରକାରୀ ନିୟମ କୁ ଉଲ୍ଲଘନ କରି ସରକାରୀ ସ୍ତରରେ ଦଲାଲ ସାଜି ମାଟି ଚାଲାଣ କରୁଛନ୍ତି । ମାଟି କୁ ଲଘୁ ଖଣିଜ ଭାବେ ବିବେଚନା କରାଯାଏ । ଏହି ଉତ୍ତୋଳନ ଓ ପରିବହନ ପାଇଁ ଓଡିଶା ମାଇନର ମିନେରାଲ କନସେସନ ରୁଲ-୨୦୧୬(ଓଏମଏମସି )ଅଛି । ଓଏମଏମସି ଆଇନିର ରୁଲ ୫୧ଅନୁଯାୟୀ ବେଆଇନି ଭାବେ ମାଟି ଚାଲାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟବସ୍ତା ରହିଛି । ୨୦୦୭ର ନିୟମ (୩)ଅନୁଯାୟୀ ଯେଉଁ ମାନେ ମାଟି ପରିବହନ କରୁଛନ୍ତି ସେମାନେ ଟ୍ରେଡିଂ ବା ବାଣିଜ୍ୟ ଲାଇସେନ୍ସ ରହିବା ଜରୁରୀ । ଏହା ବ୍ୟତୀତ ବେଆଇନି ମାଟି ଉତ୍ତୋଳନ ପାଇଁ ଓଡିଶା ସଏଲ କଞ୍ଜରଭେଷନ ଆକ୍ଟ ୧୯୬୫, ଓଡିଶା ଫରେଷ୍ଟ ଆକ୍ଟ ୧୯୭୨ଅଛି । ଯେଉଁ ମାନେ ଏହି ସବୁ ନିୟମ ଉଲ୍ଲଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ମାଟି ପରିବହନ ରେ ଯେଉଁ ଗାଡିକୁ ବ୍ୟବହାର କରାଯିବ ତାହା ଓଡିଶା ମଟର ଭେଇକିଲ ନିୟମ ଅଧୀନରେ ପଞ୍ଜିକୃତ ହୋଇଥିବା ଜରୁରୀ । ଯେଉଁ ମାନେ ମାଟି ପରିବହନ କରିବେ, ସେମାନେ ସ୍ଥାନୀୟ ତହସିଲଦାର ଙ୍କ ନିକଟରୁ ଟ୍ରାଞ୍ଜିଟ ପାସ (ଟିପି )ଆଣିବା ଆବଶ୍ୟକ। ମାଟି ପରିବହନ ବେଳେ ବାୟୁ ପ୍ରଦୂଷଣ, ଧୂଳି ଓ ଗାଡି ମଟୋର ଯାତାୟାତ ସମସ୍ୟା ଉପୁଜିଥାଏ । ଏଥିପାଇଁ ଯେଉଁ ଗାଡ଼ିରେ ମାଟି ପରିବହନ କରାଯିବ ତାହାକୁ ଜରି ପାଲରେ ସମ୍ପୂର୍ଣ୍ଣ ଘୋଡାଯିବା ବାଧ୍ୟତାମୂଳକ । ସବୁଠାରୁ ବଡ଼ କଥା ହେଉଛି ଉପରୋକ୍ତ ନିୟମ କୁ ୯୫ପ୍ରତିଶତ ମାଟି ମାଫିଆ ଉଲ୍ଲଘନ କରୁଛନ୍ତି । କିନ୍ତୁ ଏହା ଦେଖି ସରକାରୀ ବାବୁ /ବାବୁଆଣୀ ପକେଟ ଗରମ କଲା ଭଳି ସବୁଜାଣି ନିରବ । ଅସ୍ତରଙ୍ଗ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ହେଉ ଅବା ଥାନା ସାମ୍ନାରେ ଖୁଲମ ଖୁଲ୍ଲା ମାଟି ଚାଲାଣ ହେଉଥିଲେ ମଧ୍ୟ ସମସ୍ତ ଅଧିକାରୀ ନିରବ । ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଗୋଚର ଜମି ହେଉ କି ଘରୋଇ ଜମିକୁ ମାଟି ମାଫିଆ ଟାର୍ଗେଟ କରୁଛନ୍ତି । ରାତି ତମାମ ସହ ଛୁଟି ଦିନ ମାନଙ୍କ ରେ ଦ୍ରୁତ ଗତିରେ ମାଟି ଚାଲାଣ ହେଉଛି । ରାତି ପାହିବା ବେଳକୁ ଗୋଚର କିମ୍ବା ଚାଷ ଜମିରେ ପୋଖରୀ ପାଲଟୁଛି । ଯଦି କୌଣସି ସ୍ଥାନରେ ଯିଏ ବିରୋଧ କରୁଛନ୍ତି ତାଙ୍କୁ ସିଧା ସଳଖ କିଛି ଦଲାଲ ଧମକ ସହ ରାଜନୈତିକ ହାତ ଅଛି କହି ଥାନା ଧମକ ଦେଖାଇ ଡରାଉଛନ୍ତି । ମାଟି ମାଫିଆ ମାନେ ମୋଟା ଅଙ୍କରରେ ସେମାନଙ୍କୁ ବଟି ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି।
ଏ ନେଇ ଜିଲ୍ଲା ଖଣି ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ମାଟି ଓ ବାଲି ଉତ୍ତୋଳନ ରୋକ ଲଗାଇବାକୁ ସ୍ଥାନୀୟ ଅଂଚଳ ବାସୀ ଦାବୀ କରିଛନ୍ତି ।


