ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲ ପକ୍ଷରୁ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଆସିକା(ୱାଇଏନ୍ଏସ୍): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏ-୧ ଏବଂ ଏ-୨ ଗ୍ରେଡ୍ ହାସଲ କରିଥିବା ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁରେ ଥିବା ଦି ଆସିକା ସୁଗର୍ ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲ ପକ୍ଷରୁ ଅନଷ୍ଠିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ମେଧାବୀ ବିଦ୍ୟାର୍ଥୀଙ୍କୁ ପୁଷ୍ପଗୁଚ୍ଛ, ଜ୍ଞାନଗୁରୁ ପାଠ୍ୟପୁସ୍ତକ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଚିନିଶିଳ୍ପ ନୁଆଗାଁରେ ଥିବା ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲରେ ୨୦୨୫-୨୬ ଶିକ୍ଷାବର୍ଷରେ ଅଧ୍ୟୟନରତ ୨୬ ଜଣ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ମାଟ୍ରିକ ପରୀକ୍ଷାରେ ଦି ଆସିକା ସୁଗର ଇଣ୍ଡିଷ୍ଟ୍ରିଜ୍ ହାଇସ୍କୁଲ ନୁଆଗାଁରେ ଏ-୧ ଗ୍ରେଡରେ ୧ ଜଣ, ଏ-୨ ଗ୍ରେଡରେ ୨ ଜଣ, ବି-୧ ଗ୍ରେଡରେ ୩ ଜଣ, ବି-୨ ଗ୍ରେଡରେ ୧ ଜଣ, ସି-ଗ୍ରେଡରେ ୧୨ ଜଣ, ଡି-ଗ୍ରେଡରେ ୫ ଜଣ, ଇ-ଗ୍ରେଡରେ ୨ ଜଣ ବିଦ୍ୟାର୍ଥୀ ଏହିଭଳି ସମସ୍ତ ୨୬ ଜଣ ପରାକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ତଥା ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାମନ୍ତରାୟ, ସହକାରୀ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପ୍ରଧାନ, ଅନିଲ୍ କୁମାର ନାୟକ, ହେଲିନା ତିରିଆ, ମିତାରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ, ଉଚ୍ଚକୋଟୀର ଚିନ୍ତାଧାରାକୁ ପାଥେୟ କରି ଦୃଢତାର ସହ ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେବା ସହ ସଫଳତା ପାଇଁ ପରିଶ୍ରମ ଓ ଧୈର୍ଯ୍ୟ ମୁଖ୍ୟ ଚାବିକାଠି ହୋଇଥିଲା ବେଳେ ବିଦ୍ୟାର୍ଥୀମାନେ ଭଲ ପାଠପଢି ନିଜ ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ କ୍ରିଷ୍ଣା ଭଂଜ ଓ ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ସୁନେନା କାମ୍ପ ଏବଂ ତନ୍ଭି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ, ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଦି ଆସିକା ସୁଗର ଇଣ୍ଡଷ୍ଟ୍ରିଜ୍ ହାଇସ୍କୁଲ ଚିନିଶିଳ୍ପ ନୁଆଗାଁର ଉତ୍ତମ ଶୈକ୍ଷିକ ପରିବେଶ, ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ସାମନ୍ତରାୟଙ୍କ ମାର୍ଗଦର୍ଶନ ସାଙ୍ଗକୁ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉନ୍ନତମାନର ଶିକ୍ଷାଦାନ ତଥା ଅଭିଭାବକମାନଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଅତୁଟ ବିଶ୍ୱାସ ହିଁ ଏହି ଶତ ପ୍ରତିଶତ ସଫଳତା ଆଣିଦେଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


