ସମସ୍ୟାରେ ଜର୍ଜରିତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଆସିକା (ୱାଇଏନ୍ଏସ୍) : ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତୀକରଣ କରିବା ଲାଗି ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉକ୍ତ ଯୋଜନାର ସଫଳ ରୂପାୟନ ହୋଇପାରୁ ନଥିବାରୁ ବହୁ ସ୍ୱାସ୍ଥ୍ୟକେନ୍ଦ୍ର ଦେଶ ସ୍ୱାଧୀନତାର ୭୮ବର୍ଷ ପରେ ବି ଅବହେଳିତ ଅବସ୍ଥାରେ ପଡିରହିଥିବା ପରିଲକ୍ଷିତ ହେଉଛି । ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାଲିସିରା ସମେତ କମାଗଡ, ସାପୁଆପଲ୍ଲୀ, ଅସୁରାଇପଲ୍ଲୀ, ବେଣାପାଟ, ନୁଆଁପଲ୍ଲୀ, କେଶପୁର, ରାଙ୍କୁଡା, ନିମିନା, ଖଣ୍ଡରାବଳୀ, କେନ୍ଦୁପଦର, ଚାଟୁଳା, ବାଙ୍ଗରଡା, ପଣସପଲ୍ଲୀ, ଖୁକୁଣ୍ଡିଆ, ମୁନିଗାଡି, ସିଙ୍ଗିପୁର, ବନ୍ଥପଲ୍ଲୀ, କେଶରାପଲ୍ଲୀ, ମାଳତୀ, କଳାସୁତା, ଝାଡବନ୍ଧ, ପଣିବନ୍ଧ, ଦିଗି, ବାଡୁଳା, ସାହାସପୁର, ଝରପାରି, ଗାଇତାଶାସନ, ଗୋଳାବନ୍ଧପଲ୍ଲୀ, ଦନ୍ତାରିବଗଡ, କିଶୋରଚନ୍ଦ୍ରପଲ୍ଲୀ, ଗୁଣ୍ଠପଡା ସମେତ ଆଖପାଖ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ନିର୍ଭର କରିଆସୁଥିବା ବେଳେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀସେବା ବ୍ୟାହତ ହୋଇପଡୁଥିବା ଅଭିଯୋଗ ହେଉଛି । ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସାଙ୍ଗକୁ ବହୁ ପଦପଦବୀ ଖାଲି ପଡିଥିଲା ବେଳେ ସେଗୁଡିକୁ ପୂରଣ କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି । ୬ ଶଯ୍ୟା ବିଶିଷ୍ଟ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତ୍ର ୨ ଜଣ ଡାକ୍ତରଙ୍କ ଦ୍ୱାରା ରୋଗୀସେବା କରାଯାଉଥିବା ଜଣାପଡିଛି । ଦୀର୍ଘ ପ୍ରାୟ ୨୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୂପେ ପରିଚାଳିତ ହୋଇଆସୁଥିବା ଏହି ବାଲିସିରା ସରକାରୀ ଡାକ୍ତରଖାନାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୦ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରାଯାଇଥିଲେ ମଧ୍ୟ ରୋଗୀସେବା ଓ ଭିତ୍ତିଭୂମି ସୁଦୃଢ କ୍ଷେତ୍ରରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଢେର ପଛରେ ପଡିଯାଇଥିବା ଆଲୋଚିତ ହେଉଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରୀ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ବହୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବାରୁ ଦୂରଦୂରାନ୍ତରୁ ଚିକିତ୍ସା ଲାଗି ଆସୁଥିବା ଶହଶହ ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବିଭିନ୍ନ ସମୟରେ ବଞ୍ôଚତ ହୋଇଆସୁଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ପଦପଦବୀ ଗୁଡିକ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ବହୁବିଧ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।


