ଦିବ୍ୟାଙ୍ଗ ବିଶ୍ୱ ବିଶ୍ୱବିଦ୍ୟାଳୟରୁ ବି.ଏଡରେ ସ୍ୱର୍ଣ୍ଣ ପଦକ ହାସଲ କଲେ କଳ୍ପତରୁ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମର ବସନ୍ତ କୁମାର ମିଶ୍ର ଓ ସୁକାନ୍ତୀ ମିଶ୍ରଙ୍କ ସୁପୁତ୍ର କଳ୍ପତରୁ ମିଶ୍ର(୩୨) ଉତ୍ତର ପ୍ରଦେଶର ଚିତ୍ରକୁଟସ୍ଥିତ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଦିବ୍ୟାଙ୍ଗ ରାଜ୍ୟ ବିଶ୍ୱ ବିଦ୍ୟାଳୟରୁ ବି.ଏଡ ପାଠ୍ୟକ୍ରମରେ ୨୦୨୨ ଶିକ୍ଷା ବର୍ଷ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମେ ୧୧ରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଦିବ୍ୟାଙ୍ଗ ରାଜ୍ୟ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ୯ମ ଦୀକ୍ଷାନ୍ତ ସମାରୋହରେ ବିଶ୍ୱ ବିଦ୍ୟାଳୟର ଆଜୀବନ କୂଳପତି ରାଘବେନ୍ଦ୍ର ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ପ୍ରଦେଶ ରାଜ୍ୟର ଦିବ୍ୟାଙ୍ଗ ଜନ ସଶକ୍ତିକରଣ ଏବଂ ପଛୁଆବର୍ଗ କଲ୍ୟାଣ ର ।ଷ୍ଟ୍ରମନ୍ତ୍ରୀ ନରେନ୍ଦ୍ର କଶ୍ୟପ ଯୋଗ ଦେଇଥିଲେ । ଏହି ସମାରୋହରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭର୍ଚୁଆଲ ମୋଡରେ ଉଦ୍ବୋଧନ ଦେଇଥିଲେ । କଳ୍ପତରୁ ଦୁଇ ବର୍ଷିଆ ଶିକ୍ଷା ସ୍ନାତକ(ବି.ଏଡ) ପାଠ୍ୟକ୍ରମର ବାର୍ଷିକ ପରୀକ୍ଷାରେ ୮୮ ପ୍ରତିଶତ ନମ୍ବର ରଖି ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ସ୍ୱର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏଥିନେଇ ତାଙ୍କୁ ଦୀକ୍ଷାନ୍ତ ସମାରୋହରେ ଉପଢୌକନ, ସ୍ୱର୍ଣ୍ଣ ପଦକ, ସ୍ନାତକ ପ୍ରମାଣ ପତ୍ର ଓ ମେଧା ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କଳ୍ପତରୁ ଗତ ୨୦୨୪ ଜାନୁଆରୀ ଠାରୁ ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଅଧିନ ଶିଆଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସହାୟକ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ପିଲା ବେଳୁ ସେ ଜଣେ ମେଧାବୀ ଛାତ୍ର ଥିବା ବେଳେ ବହୁବିଧ ସୁଗୁଣର ଅଧିକାରୀ ଅଟନ୍ତି । ସେ ୨୦୦୮ ମସିହାରେ ନିଳୋକ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ, ୨୦୧୪ ମସିହାରେ ଭଦ୍ରକ କନିଷ୍ଠ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଳା, ୨୦୧୭ ମସିହାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ କଳାରେ ସ୍ନାତକ, ୨୦୨୦ ମସିହାରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଦିବ୍ୟାଙ୍ଗ ବିଶ୍ୱ ବିଦ୍ୟାଳୟରୁ ଶିକ୍ଷା ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଅଞ୍ଚଳବାସୀ, ପରିବାରବର୍ଗ, ସହକର୍ମୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବେଶ ଖୁସି ଅଛନ୍ତି । କଳ୍ପତରୁ ବାପାମାଆଙ୍କର ବଡ ପୁଅ ହୋଇଥିବା ବେଳେ ସାନଭାଇ ବିଶ୍ୱ ଗୁରୁପ୍ରସାଦ ଏବେ ବିଟେକ୍ ଶେଷ ବର୍ଷର ଛାତ୍ର ଅଟନ୍ତି । ଏକମାତ୍ର ଭଉଣୀ ଯୁକ୍ତ ଦୁଇ ପାସ କରି ଘରେ ଅଛନ୍ତି ।


