ଚାଷୀଙ୍କୁ ବୋରୱେଲ ଦେବା ନାମରେ ଠକେଇ: ଠକକୁ ଧରି ପୋଲିସରେ ଜିମା ଦେଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଚାଷୀଙ୍କୁ ଚାଷ କାର୍ଯ୍ୟରେ ଜଳ ସେଚନ ପାଇଁ ବୋରୱେଲ ସୁବିଧା ଦେବା ନାମରେ 300 ଜଣ ଚାଷୀଙ୍କ ଠାରୁ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ଜଣେ ଠକକୁ ଲୋକେ ଧରି ପୋଲିସକୁ ଜିମା ଦେଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ଆର. ଉଦୟଗିରି ଓ ନୂଆଗଡ ବ୍ଲକ ଅଞ୍ଚଳରେ ଚାଷୀମାନଙ୍କୁ ଚାଷ କାର୍ଯ୍ୟରେ ଜଳସେଚନ ପାଇଁ ବୋରୱେଲ ଯୋଗାଇବା ନାମରେ ଜଣେ ଚାଷୀଙ୍କ ଠାରୁ 11 ହଜାର ଟଙ୍କା ଲେଖାଏ ଆଦାୟ କରିଥିଲେ ଗଞ୍ଜାମ ଜିଲ୍ଲାର ସନ୍ଦୀପ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି। ଏପରିକି ସେ 300 ଶହ ଜଣରୁ ଉର୍ଦ୍ଧ ଚାଷୀଙ୍କ ଠାରୁ 30 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ସେ ଠକି ନେଇଥିବା ଅଭିଯୋଗ ହୋଇଛି। ହେଲେ ଚାଷୀମାନଙ୍କୁ କୌଣସି ବୋରୱେଲ ଯୋଗାଇ ନ ଦେବା ସହ ଏଥିନେଇ ଚାଷୀମାନେ ତାଙ୍କୁ ପଚାରିଲେ ସେମାନଙ୍କୁ ବିଭିନ୍ନ ଭାବେ ଧମକଇ ଭୟଭୀତ କରୁଥିଲେ। ଘଟଣା ନେଇ ଏହି ଚାଷୀମାନେ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଥାପି ଏହି ଠକ ସନ୍ଦୀପ ପଟ୍ଟନାୟକ କୌଣସି ଖାତିର ନ କରି ପୁଣି ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଳ ପଞ୍ଚାୟତର ଲୋଥର ଗ୍ରାମରେ। ପୁଣି ଚାଷୀମାନଙ୍କୁ ଠକେଇ କରି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ବେଳେ କେତେକ ଚାଷୀ ଏକତ୍ରିତ ହୋଇ ସମ୍ପୃକ୍ତ ଠକ ସନ୍ଦୀପ ପଟ୍ଟନାୟକଙ୍କୁ କାବୁ କରି ପୋଲିସକୁ ଜିମା ଦେଇଥିଲେ. ଘଟଣା ନେଇ ଆର. ଉଦୟଗିରି ପୋଲିସ ସନ୍ଦୀପ ପଟ୍ଟନାୟକ ବିରୋଧରେ 96/26 କେଶ ନଂ ରେ ମାମଲା ରୁଜୁ କରି ଗିରଫ କରିବା ସହ କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି।


