ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ସଧବା ନାରୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ଆଜି ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ମନ୍ଦିର ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସଧବା ନାରୀ ମାନେ ଭୋଗ ନୈବେଦ୍ୟ ଧରି ମନ୍ଦିର ଓ ପୀଠରେ ପହଞ୍ôଚ ସ୍ୱାମୀଙ୍କ ଶୁଭ ମନାସୀ ଦୀପ ଜାଳିବା ସହିତ ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହି ଅବସରରେ ଓଡଙ୍ଗ ପଞ୍ଚାୟତ ତୋଟାସାହିସ୍ଥିତ ସାବିତ୍ରୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲାରୁ ହଜାର ହଜାର ସଂଖ୍ୟାରେ ସଧବା ନାରୀ ମାନେ ଏହି ପୀଠକୁ ଆସି ସ୍ୱାମୀଙ୍କ ଶୁଭ ମନାସୀ ପୂଜାର୍ଚ୍ଚନା କରିଥିଲେ । ଶ୍ରଦ୍ଧାଳୁ ମାନେ କିପରି ସୁବିଧାରେ ଭୋଗ ଲଗାଇ ପାରିବେ ସେ ନେଇ ପୂଜା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଗରମ ଓ ଗୁଳୁଗୁଳିକୁ ଦୃଷ୍ଟି ଦେଇ ଭକ୍ତ ମାନଙ୍କ ପାଇଁ କମିଟି ଓ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଣା ଓ ଜଳ ଛତ୍ରର ବ୍ୟବସ୍ଥା କରାଯାଇଥିଲା । ଦର୍ଶକ ମାନଙ୍କ ପାଇଁ ମୀନା ବଜାର, ଦୋଳି ସମେତ ମନୋରଞ୍ଜନ ପାଇଁ ମେଲୋଡି, ଯାତ୍ରା, ପାଲା ଓ ଭଜନ ସନ୍ଧ୍ୟାର ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଂଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ପ୍ରମୁଖ ଯୋଗ ଦେଇ ମା’ଙ୍କ ଆଶୀଷ କୃପା ଲାଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାବିତ୍ରୀ ପୂଜା କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀ ମାନେ ସହଯୋଗ କରୁଛନ୍ତି । ସେହିପରି ବନ୍ତ ପଞ୍ଚାୟତ ଦୋଳପଦୀସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଆଖପାଖ ଗ୍ରାମର ବହୁ ସଧବା ନାରୀ ମାନେ ବ୍ରତ ପାଳନ ପୂର୍ବକ ଦୀପ ଜାଳି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ପୂଜକ ଗଦାଧର ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ