ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନସନ୍ ଘଟଣା: ଅସନ୍ତୋଷବ୍ୟକ୍ତ କଲେ ହାଇକୋର୍ଟ

କଟକ, (ଓ୍ବାଇଏନଏସ): ହାଇକୋର୍ଟରେ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ୍ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ପୁଣି ସମୟ ଲୋଡ଼ାଯିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁନିବେଦନ କରାଯାଇଥିଲା। ଅନ୍ୟପକ୍ଷରେ ପ୍ରତିପକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଏହାକୁ ବିରୋଧ କରିଥିଲେ। ୨୦୨୬, ଫେବ୍ରୁଆରି ୧୭ର ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କୁ ଆଉ ସମୟ ପ୍ରଦାନ କରାଯିବ ନାହିଁ ବୋଲି ଉଲ୍ଲେଖ କରାଯାଇଥିବା ନେଇ ପ୍ରତିପକ୍ଷଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ହାଇକୋର୍ଟ ମେ ୨୧କୁ ଏ ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗ ଅନୁଧ୍ୟାନ ପାଇଁ ଅବସରପ୍ରାପ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରାଯାଇଥିବା ନେଇ ସରକାର ପୂର୍ବରୁ ଅବଗତ କରିଥିବା ବେଳେ ଏହି କମିଟି କଣ କରିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। କମିଟି ସଦସ୍ୟଙ୍କ ନାମ ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା କମିଟି ସଦସ୍ୟଙ୍କ ତରଫରୁ କୌଣସି ଅବହେଳା କିମ୍ବା ତ୍ରୁଟି କ୍ଷେତ୍ରରେ ସେମାନଙ୍କ ବିରୋଧରେ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ଲକ୍‌ଗ୍ରାଣ୍ଟ ଓ ଏବେର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁ ନାହଁ। ପୂର୍ବରୁ ଏହି ପ୍ରସଂଗ ନେଇ ଶରତଚନ୍ଦ୍ର ପରିଡାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ୍‌ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟ ସୁପ୍ରିମକୋର୍ଟରେ କାଏମ ରହିଥିଲା। ପରବର୍ତ୍ତୀ ସମୟରେ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ଅବସର ପର ଦିନଠାରୁ ପ୍ରଦାନ କରାଯାଉ ବୋଲି ଦର୍ଶାଇ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶତାଧିକ କର୍ମଚାରୀ ଦାଖଲ କରିଥିବା ଦରଖାସ୍ତକୁ କିନ୍ତୁ ସରକାର ଖାରଜ କରିଥିଲେ। ଏହାପରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ତିନି ମାସ ଭିତରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ ର୍କମଚାରୀଙ୍କୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ୨୦୨୪, ଜାନୁଆରି ୧୨ରେ ରାୟ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଏକାଧିକ ରିଟ୍ ଅପିଲ ଦାୟର କରିଥିଲେ। ସରକାରଙ୍କ ଆବେଦନ ଗୁଡ଼ିକର ହାଇକୋର୍ଟରେ ଏବେ ଏକତ୍ର ଶୁଣାଣି ଚାଲିଛି। ପ୍ରତିପକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି, ବୁଦ୍ଧଦେବ ରାଉତରାୟ, ଆଇନଜୀଵୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ