ସବ୍ଜେଲ୍ରେ ମହିଳା ବିଚାରାଧୀନ ବନ୍ଦୀଙ୍କ ସାବିତ୍ରୀ ବ୍ରତ ପାଳନ
ଆସିକା (ୱାଇଏନ୍ଏସ୍) : ସାବିତ୍ରୀ ଅମାବାସ୍ୟା ଏହି ଦିନରେ ଓଡିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ଓଷା ପାଳନ କରିଥିଲେ । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏହି ସାବିତ୍ରୀ ପୂଜାର ଆରାଧ୍ୟ ଦେବୀ ହେଉଛନ୍ତି ମା’ ସାବିତ୍ରୀ । ଏହି କାରଣରୁ ଶନିବାର ଆସିକା ସହର ତଥା ଏହାର ଆଖାପଖ ଅଞ୍ଚଳର ସଧବା ମହିଳାମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ନୂଆଁ ବସ୍ତ୍ର ପରିଧାନ କରି ସାବିତ୍ରୀ ବ୍ରତ ପାଳନ କରିଥିଲା ବେଳେ ଆସିକା ସବ୍-ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିବା ୬ଜଣ ସଧବା ଅନ୍ତେବାସୀ ମଧ୍ୟ ନିଜ ନିଜ ସ୍ୱାମୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ସାବିତ୍ରୀ ଓଷା ପାଳନ କରିଥିବା ଜଣାପଡିଛି । ଆସିକା ସବ୍ଜେଲ୍ରେ ବିଚାରାଧୀନ ବନ୍ଦୀ ରୂପେ ରହୁଥିବା ୬ଜଣ ସଧବା ବିଚାରାଧୀନ ବନ୍ଦୀ ପବିତ୍ର ସାବିତ୍ରୀ ଓଷା ପାଳନ କରିବା ପାଇଁ ଇଚ୍ଛା ପ୍ରକଟ କରି ଜେଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ଆସିକା ସବ୍ଜେଲ୍ ଅଧିକ୍ଷକ ଖଗେଶ୍ୱର ସିଂ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ମହିଳା ମାନଙ୍କୁ ଆବଶ୍ୟକ ପଡୁଥିବା ନୂଆଁ ଶାଢୀ, ଶଙ୍ଖା-ସିନ୍ଦୂର ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଯୋଗାଇ ଦେଇଥିଲେ । ଜେଲ୍ ପରିସରରେ ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣରେ ୬ଜଣ ସଧବା ମହିଳା ଅନ୍ତେବାସୀ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଜଣାପଡିଛି । ଓଡିଆ ପର୍ବପର୍ବାଣୀ ଓ ପରମ୍ପରା ମଧ୍ୟରେ ପବିତ୍ର ସାବିତ୍ରୀ ବ୍ରତର ଏକ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ପୌରାଣିକ କଥାବସ୍ତୁ ଆଧାରରେ ସାବିତ୍ରୀ ନିଜର ସତୀତ୍ୱର ପରାକାଷ୍ଟା ବଳରେ ଯମରାଜାଙ୍କ ଠାରୁ ନିଜର ପ୍ରାଣପ୍ରିୟ ପତିଦେବ ସତ୍ୟବାନଙ୍କୁ ବଞ୍ଚାଇ ପାରିଥିଲେ । ସେହି କଥାବସ୍ତୁକୁ ବିଶ୍ୱାସ କରି ସାବିତ୍ରୀରେ ସଧବା ନାରୀମାନେ ନିଜ ସ୍ୱାମୀମାନଙ୍କ ଦାର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ଶନିବାର ପବିତ୍ର ସାବିତ୍ରୀ ବ୍ରତ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ତ୍ରିବିଧେଶ୍ୱର ମନ୍ଦିର ସମେତ ଆଖପାଖ ମନ୍ଦିର ଗୁଡିକରେ ସଧବା ମହିଳାମାନଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ସଧବା ମହିଳାମାନେ ଏକତ୍ରିତ ହୋଇ ସମୂହ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସାବିତ୍ରୀ ପୂରାଣ ପାଠ କରିଥିଲେ । କେତେକ ସ୍ଥାନରେ ପୁରୋହିତଙ୍କ ମନ୍ତ୍ରପାଠ ଓ ମହିଳାଙ୍କ ଭାବପୂର୍ଣ୍ଣ ପୂଜାର୍ଚ୍ଚନା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ପବିତ୍ର ସାବିତ୍ରୀ ଓଷା ଅବସରରେ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ନିଜସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ସେହିପରି ଆସିକା ସହରର ବିଭିନ୍ନ ସାହିବସ୍ତିର ଘରେଘରେ ମଧ୍ୟ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଶୁକ୍ରବାର ପୂର୍ବାହ୍ନରୁ ମହିଳାମାନେ ନୂତନ ଲୁଗା ଓ ଚୁଡି ଅଳଙ୍କାର ପରିଧାନ କରିବା ସହ ନଡିଆ, ତାଳ, ପଣସ, ଆମ୍ବ, ଖଜୁରୀ କୋଳି ଆଦି ନେଇ ମାତା ସାବିତ୍ରୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ନିଜ ନିଜ ସ୍ୱାମୀଙ୍କୁ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା ।


