ଔଷଧ ଦୋକାନ ବନ୍ଦ ଧର୍ମଘଟ ସଫଳ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ଔଷଧର ଅନଲାଇନ ସେବା ବିରୁଦ୍ଧରେ କେମିଷ୍ଟ, ଫାର୍ମାସିଷ୍ଟ ଏବଂ ଔଷଧ ବିତରକଙ୍କ ପ୍ରତିନିଧିତ୍ୱ କରୁଥିବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ (ଏଆଇଓସିଡି) ୨୦ ମେ’ ବୁଧବାର ଦିନ ଦେଶବ୍ୟାପୀ ସମସ୍ତ ଔଷଧ ଦୋକାନ ଧର୍ମଘଟ ବନ୍ଦ ଡାକରା ଦେଇଥିବା ବେଳେ ମୁନିଗୁଡାରେ ମଧ୍ୟ ବ୍ୟବସାୟୀ ମାନେ ଧର୍ମଘଟରେ ସାମିଲ ହୋଇ ସମସ୍ତ ଔଷଧ ଦୋକାନ ବନ୍ଦ କରିଥିବା ଦେଖାଯାଇଥିଲା। ଏହି ଅବସରରେ ମୁନିଗୁଡାର ଲଷ୍ମୀ ମେଡିକାଲ ହୋଲ, ଆକାଶ ମେଡିକାଲ,ନାରାୟଣୀ ମେଡିକାଲ, ସତ୍ୟସାଇ ଡ୍ରଗ ହାଉସ,ଶ୍ରୀଗଣେଶ ମେଡିକାଲ,କମଳାଦେବୀ ମେଡିକାଲ୍, ଜ୍ୟୋତି ମେଡିକାଲ୍,ପାର୍ଥସାରଥୀ ମେଡିକାଲ୍, ରୂପା ମେଡିକାଲ୍,ସାହୁ ମେଡିକାଲ୍,ସତ୍ୟ ସାଇ ମେଡିକାଲ୍,ଆଦିତ୍ୟ ମେଡିକାଲ ଭଳି ଅନ୍ୟ ଔଷଧ ଦୋକାନ ଗୁଡିକ ସାମିଲ ହୋଇଥିଲେ। ଏହି ବନ୍ଦ ଡାକରା ବେଳେ ଔଷଧ ଦୋକାନୀ ମାନେ ମୁନିଗୁଡ଼ା ବ୍ୟବସାୟୀ ସଂଘକୁ ନୈତିକ ସମର୍ଥନ ଦେବା ସକାଶେ ଅନୁରୋଧ କରିଥିବା ଜଣାପଡିଛି। ଯାହା ଫଳରେ ମୁନିଗୁଡାରେ ଔଷଧ ଯୋଗାଣକୁ ପ୍ରଭାବିତ କରିବା ସହ ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ସୂଚନା ଯେ ସଂଗଠନ କହିଛି ଯେ, ଇ-ଫାର୍ମାସି ଏବଂ ଇନଷ୍ଟାଣ୍ଟ ମେଡିସିନ୍ ଡେଲିଭରି ପ୍ଲାଟଫର୍ମଗୁଡ଼ିକୁ ପରିଚାଳନା କରୁଥିବା ନିୟମାବଳୀରେ ଥିବା ତ୍ରୁଟି ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପ୍ରତିବାଦ କରାଯାଉଛି। ଏଆଇଓସିଡି ଦାବି କରିଛି ଯେ ଏହି ତ୍ରୁଟିଗୁଡ଼ିକ ଅନଲାଇନ୍ ଫାର୍ମାସି କମ୍ପାନିଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ କରିବାକୁ ଅନୁମତି ଦେଉଛି। ତେଣୁ ଏହାର ଉପରେ ବିଚାର କରିବାକୁ ବ୍ୟବସାୟୀ ମାନେ ଦାବି କରୁଥିବା ଜଣାପଡିଛି।


