ଦିନକୁ ଦିନ ବଢୁଛି ତାତି, ଦିନ ୧୦ଟାରୁ ରାସ୍ତାଘାଟ ଶୂନ୍‌ଶାନ୍‌

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ହାଟଡିହି ଅଞ୍ଚଳରେ କିଛିଦିନ ହେବ ତାତି ବଢିବାରେ ଲାଗିଛି। ଦୁଇଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥ‌ିବାବେଳେ ଯାଞ୍ଜି ପବନ ବହୁଥିବା ବେଳେ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଲୋକମାନେ ଅତିଷ୍ଠ ହୋଇ ପଡୁଛନ୍ତି। ପିଚୁ ରାସ୍ତା ଓ କଂକ୍ରିଟ ରାସ୍ତା ଗୁଡିକ ଅତିଶୀଘ୍ର ତାତି ଯାଉଥିବାରୁ ରାସ୍ତା ଘାଟରେ ଯାତାୟାତ ଠପ ହୋଇ ଯାଉଛି। ଗ୍ରୀଷ୍ମ ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସେପରି କୌଣସି ପ୍ରସ୍ତୁତି ହୋଇନଥିଲା ବେଳେ ଚଳିତ ବର୍ଷ ଜଳ ଛତ୍ର ଖୋଲା ଯାଇନଥିବାରୁ ବାଟୋଇ ମାନେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।  ଦୁଇଦିନ ହେଲା ତାତି ଏତେ ବଢିଛି ଯେ ସକାଳ ୧୦ଟା ରୁ ଅପରାହ୍ନ ୫:୩୦ ପର୍ଯ୍ୟନ୍ତ ଖରା ରହୁଥ‌ିବାରୁ  ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ସକାଳ ୧୦ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇପଡୁଛି। ଅନେକ କୂଅ, ପୋଖରୀ, ନାଳ ଶୁଖ୍ ଯାଇଥିବାରୁ ଗ୍ରାମଞ୍ଚଳରେ ଲୋକେ ଜଳକଷ୍ଟ ଭୋଗୁଛନ୍ତି। ଗୋରୁ ଗାଈ ମାନେ ପିଇବାକୁ ପାଣି ପାଉ ନାହାନ୍ତି। ଏପରି ସମୟରେ କେତେକ ସ୍ଥାନରେ ବିଦ୍ୟୁତ୍ କାଟ ମଧ୍ୟ ଦେଖାଦେଇଛି। କେନ୍ଦୁଝର ଜିଲା ପ୍ରତିବର୍ଷ ତାତିରେ ରେକର୍ଡ କରୁଥିବାବେଳେ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ସୃଷ୍ଟି କରିବାରେ କୌଣସି ପଦକ୍ଷେପ ନିଆ ଯାଉନାହିଁ। ଆନନ୍ଦପୁର ଭଦ୍ରକ ରାସ୍ତା ସମ୍ପ୍ରସାରଣ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ହଜାର ହଜାର ଗଛକୁ ପ୍ରଶାସନ କାଟି ସଫା କରିଦେଇ ଥିବା ବେଳେ ୧୫ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ରାସ୍ତା କଡରେ ଗୋଟିଏ ବି ଗଛ ଲଗାଗଲା ନାହିଁ। ଫଳରେ ବାଟୋଇ ମାନେ ଛାଇ ଟିକେ ପାଇ ନପାରି ଅଂଶୁଘାତର ଶିକାର ହେଉଛନ୍ତି। କହି ଏହି ଗୋଟିଏ ରାସ୍ତା ନୁଁହ ଓରଳି – ଶାଳଣିଆଁ, ହାଟଡିହି – ସମଣା, ସଢ଼ା – ସୋସୋ ଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡିକରେ ରାସ୍ତା କଡରେ ଗୋଟିଏ ବି ବୃକ୍ଷ ରୋପଣ ହୋଇନି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ରାସ୍ତା କଡ଼ ମାନଙ୍କରେ ପୂର୍ବରୁ ପଞ୍ଚାୟତ ମାଧ୍ୟମରେ ଓ କିଛି ସ୍ଥାନରେ ସ୍ବେଛାସେବୀ ମାନଙ୍କ ଦ୍ୱାରା ଜଳଛତ୍ର ଖୋଲା ଯାଉଥିବା ବେଳେ ଚଳିତ ବର୍ଷ ଜଳ ଛତ୍ର ଖୋଲା ଯାଇନଥିବାରୁ ବାଟୋଇ ମାନେ ପିଇବା ପାଣି ଟୋପେ ପାଇଁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ