ବଡ଼ନାଳ ଜଳଭଣ୍ଡାର ଅଞ୍ଚଳରେ ଇକୋ-ଟୁରିଜମ୍‌ର ବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ

ଗୁଣପୁର,(ୱାଇଏନଏସ): ପଦ୍ମପୁର ବ୍ଲକର ବଡ଼ନାଳ ଜଳସେଚନ ପ୍ରକଳ୍ପ ଏବଂ ଏହାର ଆଖପାଖ ଅଞ୍ଚଳରେ ଇକୋ-ଟୁରିଜମ୍‌ ବା ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଆରମ୍ଭ ହୋଇଛି। ଏହି ସମ୍ପର୍କରେ ଗତ ଡିସେମ୍ବର ୨୦୨୫ ମସିହାରେ ରାଜ୍ୟ ସରକାର ଗୁଣପୁର ନିର୍ବାଚନ ମଣ୍ଡଳୀରେ ଦୁଇଟି ଇକୋ ଟୁରିଜିମ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗଙ୍କୁ ଚିଠି ଦ୍ବାରା ଜଣାଇଥିଲେ। ଏହାକୁ ଭିତ୍ତି କରି ମାନ୍ୟବର ବିଧାୟକ ଶ୍ରୀ ଗମାଙ୍ଗ ଗତ ଡିସେମ୍ବର ୨୧ ୨୦୨୫ ମସିହାରେ ମିନାଝୋଲା ଓ ବଡ଼ନାଳ ଡ୍ୟାମ ଅଞ୍ଚଳରେ ଇକୋ ଟୁରିଜିମ ନିର୍ମାଣ ପାଇଁ ପ୍ରସ୍ତୁତ ଦେବା ସହ ଆବଶ୍ୟକ ଆନୁସାଙ୍ଗିକ ପ୍ରକଳ୍ପ ଗୁଡିକ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଜରିଆରେ ବିବରଣୀ ପ୍ରଦାନ କରିଥିଲେ। ଏହାକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଗତ ମାର୍ଚ୍ଚ ମାସରେ ରାୟଗଡା ଜିଲାପାଳ ଆଶୁତୋଷ କୁଳକର୍ଣ୍ଣି ଏକ ବୈଷୟିକ ଦଳକୁ ନେଇ ବଡ଼ନାଳ ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ ବିକାଶ ଓ ପ୍ରସ୍ତାବିତ କାର୍ଯ୍ୟର ଅଗ୍ରଗତିକୁ ନେଇ ଦାଖଲ ହୋଇଥିବା ଏକ ଦରଖାସ୍ତ ଆଧାରରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ଏହାର ବାସ୍ତବିକ ଯାଞ୍ଚ ଓ ସମୀକ୍ଷା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପଦ୍ମପୁର ଅଞ୍ଚଳର ସଚେତନ ବାସିନ୍ଦା ସୁଦର୍ଶନ ପାଢ଼ୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଇ-ଅଭିଯୋଗ ଆଧାରରେ ବନ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଛି। ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟରୁ ପ୍ରକାଶିତ ଚିଠି ସଂଖ୍ୟା ୨୪୩୫ ଅନୁସାରେ, ବଡ଼ନାଳ ଜଳଭଣ୍ଡାର ଏବଂ ଏହାର ଆଖପାଖ ଜଙ୍ଗଲ ଜମିର ବିକାଶ ପାଇଁ ଏକାଧିକ ସରକାରୀ ବିଭାଗର ମିଳିତ ସମୀକ୍ଷାର ଆବଶ୍ୟକତା ରହିଛି। ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ବଡ଼ନାଳ ଜଳଭଣ୍ଡାର ଏବଂ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ଜଳ ସମ୍ପଦ ବିଭାଗ (ର ପ୍ରଶାସନିକ ନିୟନ୍ତ୍ରଣରେ ରହିଛି। ତେଣୁ ଏଠାରେ କୌଣସି ବି ପର୍ଯ୍ୟଟନ ସ୍ଥଳୀର ବିକାଶ, ଜେଟି ନିର୍ମାଣ କିମ୍ବା ବୋଟିଂ ଭଳି କାର୍ଯ୍ୟକ୍ରମ ପାଇଁ ପ୍ରଯୁକ୍ତିବିଦ୍ୟାଗତ ଯୋଗ୍ୟତା, ଜଳଭଣ୍ଡାର ପରିଚାଳନା ଏବଂ ସର୍ବସାଧାରଣଙ୍କ ସୁରକ୍ଷାକୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ। ଅପରପକ୍ଷରେ, ଜଳଭଣ୍ଡାରକୁ ଲାଗି ରହିଥିବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକ ରାୟଗଡ଼ା ବନ ବିଭାଗ ଅଧୀନରେ ଆସୁଛି। ଏହି ଅଞ୍ଚଳରେ ଯେକୌଣସି ପର୍ଯ୍ୟଟନ କାର୍ଯ୍ୟକଳାପ ବନ ସଂରକ୍ଷଣ ଆଇନ ଏବଂ ସରକାରୀ ଗାଇଡ୍‌ଲାଇନ୍ ଅନୁଯାୟୀ ନିୟନ୍ତ୍ରିତ ହେବ। ଏହି ପ୍ରସ୍ତାବର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାୟଗଡ଼ା ବନ ବିଭାଗ ପକ୍ଷରୁ ପଦ୍ମପୁର ବଡ଼ନାଳକେନାଲ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଗୁଡ଼ାରୀ ରେଞ୍ଜ୍‌ର ରେଞ୍ଜ ଅଫିସର ଙ୍କୁ ମିଳିତ ଭାବେ ଏହି ପ୍ରସ୍ତାବର ବାସ୍ତବତା ଓ ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ କରାଯାଇଛି। ସେମାନଙ୍କୁ ନିଜ ନିଜ ସୀମା ମଧ୍ୟରେ ଯାଞ୍ଚ କରି ଏକ ପ୍ରାଥମିକ ଚିଠା ପ୍ରସ୍ତାବ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଚାର ପାଇଁ ଦାଖଲ କରିବାକୁ କୁହାଯାଇଛି। ଏହି ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଯଦି ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ମିଳେ, ତେବେ ଆଗାମୀ ଦିନରେ ବଡ଼ନାଳ ଜଳଭଣ୍ଡାର ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହେବ ଏବଂ ଏହା ଦ୍ୱାରା ସ୍ଥାନୀୟ ଅର୍ଥନୀତି ଓ ରୋଜଗାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ