ମୁଁ ଦିବ୍ୟାଙ୍ଗ କିନ୍ତୁ ଅକ୍ଷମ ନୁହେଁ: ଭିନ୍ନକ୍ଷମ ଚୁନୁଙ୍କ ନମ୍ବର ୱାନ୍ ସୁଆଦିଆ ଚା ବିକ୍ରୀ ଦୋକାନ
ଆସିକା (ୱାଇଏନ୍ଏସ୍) : ମେ ମାସ ୨୧ ତାରିଖରେ ଅନ୍ତର୍ଜାତୀୟ ଚା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଆସିକା ସହରର ୧୪ ନମ୍ବର ୱାର୍ଡର ନିରଞ୍ଜନଗର ମୁଖ୍ୟରାସ୍ତାର ପାଶ୍ୱର୍ରେ ନମ୍ବର ୱାନ୍ ସୁଆଦିଆ ଚା ବିକ୍ରୀ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ଭିନ୍ନକ୍ଷମ ଯୁବକ ତଥା ପାଣିଗ୍ରାହୀ ଚା ଦୋକାନର ମାଲିକ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଓରଫ୍ ଚୁନୁ । ଭଗବାନ ମୋତେ ଦିବ୍ୟାଙ୍ଗ କରିଦେଇଛନ୍ତି ସତ ହେଲେ ମୁଁ ଅକ୍ଷମ ନୁହେଁ । ଏହା ପଛରେ ଠାକୁରଙ୍କ କିଛି ମହତ୍ ଉଦ୍ଦେଶ୍ୟ ନିଶ୍ଚିତ ଭାବେ ରହିଛି । କାହିଁକି ନା ଭଗବାନ ଯାହା କରନ୍ତି ତାହା ପ୍ରାଣୀର ମଙ୍ଗଳ ସକାଶେ । ଆସିକା ସହରର ଜଣାଶୁଣା ଚା ଦୋକାନୀ ଚୁନୁ ଦିବ୍ୟାଙ୍ଗ ହୋଇ ବି ମନରେ କୌଣସି ଅବଶୋଷ୍ ନଥିବା ଦେଖିବାକୁ ମିଳୁଛି । ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଆଗରେ ସେ କେବେ ବି ଭାଙ୍ଗି ପଡିନାହାନ୍ତି କି ଥକି ପଡିନାହାନ୍ତି । ଦିବ୍ୟାଙ୍ଗ ହୋଇ ବି ଚା ଦୋକାନ କରି ବେଶ୍ ଦୁଇ ପଇସା ରୋଜଗାର କରିବା ସହ ହସଖୁସିରେ ନିଜର ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରର କେନ୍ଦ୍ରସ୍ଥଳ କୁହାଯାଉଥିବା ନିରଞ୍ଜନନଗର ଅଞ୍ଚଳରେ ସୁୁଆଦିଆ ଚା ବିକ୍ରୀ କରି ସଭିଙ୍କ ପ୍ରିୟ ପାଲଟିଥିବା ଭିନ୍ନକ୍ଷମ ଯୁବକ ଚୁନୁଙ୍କ ଚା ଦୋକାନରେ ରାତି ପାହିବା ମାତ୍ରେ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଭିଡ ଲାଗି ରହିଥାଏ । ଖରାବର୍ଷା ଶୀତ କାକରକୁ ତିଳେ ବି ଖାତିର ନକରି ରାତି ନ ପାହୁଣୁ ଭିନ୍ନକ୍ଷମ ଯୁବକ ଚୁନୁ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ଖୋଲି ଲୋକଙ୍କୁ ସୁଆଦିଆ ତଥା ସୁସ୍ୱାଦୁ ଚା ସୁଲଭ ମୂଲ୍ୟରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଭିନ୍ନକ୍ଷମ ଯୁବକ ଚୁନୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ ଦୋକାନରେ ଚା ଚୁଲାରେ ବସି ଫୁଟିବା ଠାରୁ ଆରମ୍ଭ କରି କପ୍ରେ ଢଳା ହେବା ପର୍ଯ୍ୟନ୍ତ ବହୁ ଗ୍ରାହକ ଚା ପିଇବା ପାଇଁ ଚାତକ ପରି ଚାହିଁ ବସିଥାନ୍ତି । ସକାଳୁ ଚା କପ୍ରୁ ଶେଷ ଢୋକ ସରିବା ପର୍ଯ୍ୟନ୍ତ ଆରମ୍ଭ ହୋଇଥାଏ ବହୁ ଯୁବପିଢୀଙ୍କ ଜୀବନର ଦୌଡ । ଭିନ୍ନକ୍ଷମ ଯୁବକ ଚୁନୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ ଚା ଦୋକାନ ସଂପର୍କର ସେତୁ ଗଢିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା ବେଳେ ଯୁବପିଢୀଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଓ ଆତ୍ôମିୟତାର ଭାବ ବ୍ୟବସାୟକୁ ବଢାଇବାରେ ବେଶ୍ ସହାୟକ ହୋଇପାରୁଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି ।


