ଆସିକାରେ ଚାଞ୍ଚଲ୍ୟ: ଭିଣୋଇଙ୍କ ଛୁରା ମାଡରେ ଶଳା ଗୁରୁତର

ଆସିକା (ୱାଇଏନ୍‍ଏସ୍‍): ସଦାସର୍ବଦା ଜନଗହଳିପୂର୍ଣ୍ଣ ଆସିକା ଘରୋଇ ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଘଟଣାକ୍ରମରେ ଶନିବାର ପୂର୍ବାହ୍ନରେ ଭିଣୋଇଙ୍କ ଛୁରାମାଡରେ ଶଳା ଗୁରୁତର ଆହତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ବଡଗଡ ଥାନା ଅନ୍ତର୍ଗତ ବାଖରାକଟା ଗ୍ରାମର କଂସ ଡାକୁଆ ଶନିବାର ପୂର୍ବାହ୍ନରେ ନିଜ ଗ୍ରାମରୁ ବାହାରି ଆସିକାରେ ପହଞ୍ଚି ନିଜ କର୍ମକ୍ଷେତ୍ର ସୁରଥ ଯିବା ପାଇଁ ବ୍ରହ୍ମପୁର ଅଭିମୁଖେ ଯିବାକୁ ବସ୍‍କୁ ଅପେକ୍ଷା କରିଥିଲା ବେଳେ ଘଟଣାସ୍ଥଳରେ ଭିଣୋଇ ଶେରଗଡ ଥାନା ଅନ୍ତର୍ଗତ ଖମାର ଗ୍ରାମର କୁନା ଡାକୁଆ ପହଞ୍ଚି ଛୁରାରେ ଆକ୍ରମଣ କରିଥିଲେ । ଯାହାରି ଫଳରେ ଶଳା ବାଖରକଟା ଗ୍ରାମର କଂସ ଡାକୁଆ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବି ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାକୁ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଭିଣୋଇ କୁନା ଡାକୁଆଙ୍କ ଛୁରାମାଡରେ ଶଳା କଂସ ଡାକୁଆ ଗୁରୁତର ଆହତ ହୋଇଥିବା ସଂକ୍ରାନ୍ତରେ ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‍ଭିନ୍ନ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । କେଉଁ କାରଣରୁ ଭିଣୋଇ କୁନା ଡାକୁଆ ନିଜ ଶଳା କଂସ ଡାକୁଆଙ୍କୁ ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ଆସିକା ଘରୋଇ ବସଷ୍ଟାଣ୍ଡ ନିକଟରେ ଛୁରାମାଡ କରି ଗୁରୁତର ଆହତ କଲା ସେ ସଂକ୍ରାନ୍ତରେ କୌଣସି ସଠିକ୍‍ ତଥ୍ୟ ମିଳିପାରିନଥିଲା ବେଳେ ପାରିବାରିକ ଅଶାନ୍ତିକୁ କେନ୍ଦ୍ର କରି ଏହି ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆସିକା ପୋଲିସ ଆକ୍ରମଣକାରୀ ଭିଣୋଇ କୁନା ଡାକୁଆଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ