ଜିଲାପାଳଙ୍କ ଅଫିସ ଆଗରେ ଧାରଣା : ନିଷ୍ପତ୍ତିପରେ ପ୍ରତ୍ୟାହୃତ ହେଲା ଗଣ ଧାରଣା

ବନ୍ତ,(ଚାନ୍ଦିନୀ ମହାନ୍ତି) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିପେକ୍ଷୀରେ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅଫିସ ଆଗରେ ଶୁକ୍ରବାର ଠାରୁ ଚାଲିଥିବା ଗଣଧାରଣା ସୋମବାର ପ୍ରତ୍ୟାହୃତ ହୋଇଯାଇଛି । ୩ ଦିନ ଧରି ଗଣ ଧାରଣା ଚାଲିଥିବା ବେଳେ ବ୍ଲକ ପ୍ରଶାସନ ଧାରଣା ସ୍ଥଳକୁ ନଆସିବା ଏବଂ ଏ ସମ୍ପର୍କରେ କୌଣସି କର୍ଣ୍ଣପାତ ନକରିବାରୁ ଧାରଣାକାରୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଜିଲାପାଳଙ୍କ ଅଫିସ ଆଗରେ ଗଣ ଧାରଣା ଦିଆଯିବ ବୋଲି ଚୁଡାନ୍ତ ନିଷ୍ପତ୍ତି ପରେ ସୋମବାର ମଧ୍ୟାହ୍ନରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିନ୍ମୟ କୁମାର ଦାସ ଏବଂ ବ୍ଲକ କଂଗ୍ରେସ ଯୁବ ନେତା ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖ ଧାରଣା ସ୍ଥଳକୁ ଆସି ଗଣଧାରଣାକୁ ସମର୍ଥନ କରିବା ସହିତ ଧାରଣାକାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ସରପଞ୍ଚ ପ୍ରିୟଙ୍କା ପ୍ରିୟ ଦର୍ଶନୀ ଦାସ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟା ଭୂୟାଁ ଧାରଣା ସ୍ଥଳକୁ ଆସିବା ପରେ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ଶେଷରେ ବିଧାୟକ ପ୍ରତିନିଧିଙ୍କ ଅନୁରୋଧ କ୍ରମେ ଖୁବ ଶିଘ୍ର ନିର୍ଦ୍ଧାରିତ ଦିନରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବା ନେଇ ନିଷ୍ପତ୍ତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଲୋଚନା ବେଳେ ବିଜେଡି ଓ କଂଗ୍ରେସର ଉପରୋକ୍ତ ନେତୃତ୍ୱଙ୍କ ସମେତ ସିପିଆଇ ବନ୍ତ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ଜିଲା ସହ ସମ୍ପାଦକ ରମେଶ ଜେନା, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ବେହେରା, ଶାଖା ସମ୍ପାଦକ ଜୟନ୍ତ ଜେନା, ଜୋନ ନେତୃତ୍ୱ ଦିଲୀପ କୁମାର ନାୟକ, କୃପାସିନ୍ଧୁ ସେଠୀ, କୁନ୍ତଳା ପ୍ରଧାନଙ୍କ ସମେତ ସମସ୍ତ ଧାରଣାକାରୀ ମାନେ ଉପସ୍ଥି୍‌ତ ଥିଲେ । ଏହି ଧାରଣା ସ୍ଥଳକୁ ଆଜି ରାମଚନ୍ଦ୍ରପୁର ଗ୍ରାମର ବନମାଳୀ ମାଝି ନାମକ ବ୍ୟକ୍ତି ନିଜ ୮୨ ବର୍ଷର ମାଆ ଚନ୍ଦ୍ରମଣି ମାଝୀକୁ ଦୋଳାରେ ବୋହି ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକାଶ ଥାଉକି, ଉକ୍ତ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ରାସନକାର୍ଡରେ ଗରିବ ଲୋକଙ୍କୁ ଅନ୍ତର୍ଭୁକ୍ତ କରାନଯିବା, ବାର୍ଦ୍ଧକ୍ୟ ଭତ୍ତାରୁ ବୃଦ୍ଧବୃଦ୍ଧା ଓ ବିଧବା ମାନଙ୍କୁ୍ ବଞ୍ôଚତ କରାଯିବା, ୮୦ ବର୍ଷରୁ ଉର୍ଦ୍ଧ୍ୱ ଭତ୍ତାଧାରୀଙ୍କୁ ୩ ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନରେ ଅବହେଳା ପ୍ରଦର୍ଶନ ସହିତ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆର୍ଥିକ ବାଟମାରଣା ପ୍ରତିବାଦରେ ଏହି ଗଣଧାରଣା ୩ ଦିନ ଧରି ଚାଲିଥିଲା । ସିପିଆଇ ଶାଖା ସମ୍ପାଦକ ଜୟନ୍ତ ଜେନାଙ୍କ ନେତୃତ୍ୱରେ ରାମଚନ୍ଦ୍ରପୁର, ପାନପଦୀ, ବର୍ଚ୍ଚିକୟାଁ, ସାହାରାଗଢିଆ, ବରପଦୀ, ଗୋବିନ୍ଦପୁର ଆଦି ଗ୍ରାମର ଶତାଧିକ ମହିଳା, ପୁରୁଷଙ୍କ ସମେତ ବିିଭିନ୍ନ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ଏବଂ ଦିବ୍ୟାଙ୍ଗ ମାନେ ଏହି ଗଣ ଧାରଣାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ