ଜୀବିକା ସୃଷ୍ଟି ଓ ପ୍ରବାସ ରୋକିବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡା,(ଲିଲାମ୍ବର ନାଗ):ନୂଆପଡା ଜିଲ୍ଲାରେ ମତ୍ସ୍ୟ ବିଭାଗର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଏବଂ ଗ୍ରାମୀଣ ଜୀବିକାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଡିପିସି (ମିଶନ ଶକ୍ତି) ସୁନୀଲ କୁମାର ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁଙ୍କ ସହ ସମସ୍ତ ବ୍ଲକ ସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ୨୦୨୫–୨୬ ଆର୍ଥିକ ବର୍ଷର ଯୋଜନାଭିତ୍ତିକ ଅଗ୍ରଗତି ସମୀକ୍ଷା କରାଯାଇଥିଲା। ମତ୍ସ୍ୟ ପୋଖରୀ ଯୋଜନା କମ୍ପୋନେଣ୍ଟ–୧ ଅଧୀନରେ ୨୧୬ ହେକ୍ଟର ଲକ୍ଷ୍ୟ ମଧ୍ୟରୁ ୩୦.୨୦ ହେକ୍ଟର ପାଇଁ ୪୭ଟି ଗୋ-ଅହେଡ୍ ଜାରି ହୋଇଛିl ଏଥିରୁ ୨୬ଟି ପ୍ରକଳ୍ପରେ ୧୯ ହେକ୍ଟର କାର୍ଯ୍ୟ ସମ୍ପାଦନ ହୋଇଛି। ସେହିପରି କମ୍ପୋନେଣ୍ଟ–୨ ଅଧୀନରେ ୪୫ ହେକ୍ଟର ଲକ୍ଷ୍ୟ ମଧ୍ୟରୁ ୪୦.୭୬ ହେକ୍ଟର ପାଇଁ ୪୫ଟି ଅନୁମୋଦନ ଜାରି ହୋଇଛି ଏବଂ ୩୮ଟି ପ୍ରକଳ୍ପରେ ୩୭.୮୦ ହେକ୍ଟର କାର୍ଯ୍ୟ ସମ୍ପାଦନ ହୋଇଛି।ଏହାସହ ବାୟୋ-ଫ୍ଲକ୍ ଯୋଜନାରେ ୧୨୨ଟି ଟ୍ୟାଙ୍କ ପାଇଁ ଅନୁମୋଦନ ଜାରି ହୋଇଥିବା ବେଳେ ୬୬ଟି ଟ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି। ଇନପୁଟ୍ ଆସିଷ୍ଟାନ୍ସ ଯୋଜନାରେ ଡବ୍ଲୁଏସଏଚଜି –୧ ଅଧୀନରେ ୧୨୦.୯୦ ହେକ୍ଟର, ଡବ୍ଲୁଏସଏଚଜି–୨ ରେ ୭୫ ହେକ୍ଟର ଏବଂ ଡବ୍ଲୁଏସଏଚଜି–୩ ରେ ୧୦୬ ହେକ୍ଟର କାର୍ଯ୍ୟ ସମ୍ପାଦନ ହୋଇଥିବା ସୂଚନା ଦିଆଯାଇଛି lଜିଲ୍ଲାପାଳ ମତ୍ସ୍ୟ ଚାଷକୁ ସ୍ଥାୟୀ ଜୀବିକାର ମାଧ୍ୟମ ଭାବେ ଗଢ଼ି ତୋଳିବା ସହ ଜିଲ୍ଲାରୁ ପ୍ରବାସ କମାଇବା ଦିଗରେ ଆହୁରି ସକ୍ରିୟ ଭାବେ କାମ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କାର୍ଲାକୋଟ ଗ୍ରାମପଞ୍ଚାୟତର ସଫଳ ମତ୍ସ୍ୟ ଚାଷୀ ରମାକାନ୍ତ ବେହେରାଙ୍କ ସଫଳତା କାହାଣୀ ଉପସ୍ଥାପନ କରାଯାଇଥିଲା। ଶ୍ରବଣ କ୍ଷମତା କମ୍ ଥିବା ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେ ୨୦୨୫–୨୬ ମସିହାରେ ମତ୍ସ୍ୟ ପୋଖରୀ ଯୋଜନା କମ୍ପୋନେଣ୍ଟ–୨ ଅଧୀନରେ ମାଛଚାଷ କରି ୨୮୦୦ କିଲୋଗ୍ରାମ ମାଛ ଉତ୍ପାଦନ କରିଥିଲେ। ଏଥିରୁ ପ୍ରାୟ ୫.୫୦ ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ବାର୍ଷିକ ୨.୫୦ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଥିବା ସୂଚନା ଦିଆଯାଇଥିଲା। ତାଙ୍କ ସଫଳତା ଅନ୍ୟ ମତ୍ସ୍ୟ ଚାଷୀଙ୍କ ପାଇଁ ପ୍ରେରଣାଦାୟକ ବୋଲି ଜିଲ୍ଲାପାଳ କହିଥିଲେ।


