ଅଳିଆ କରି ବଦଳିଲେ ୨୮ ବର୍ଷର ଗାଦିମଡ଼ା ଅମିନ : ମିଳୁନି ପୌରାଞ୍ଚଳର ଜମିର ନକ୍ସା ଓ ଦସ୍ତାବିଜ

ଗୁଣପୁର,(ୱାଇଏନଏସ): ଦୀର୍ଘ ବର୍ଷ ପରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜ୍ଞାନ ଉଦୟ ହୋଇଛି। ଗୁଣପୁର ମ୍ୟୁନିସିପାଲଟି ଅଫିସରେ ନିଯୁକ୍ତି ପାଇବାର ୨୮ ବର୍ଷ ଧରି ଗାଦି ମାଡି ବସି ରାଜ ଚଳେଇ ଥିବା ଜରିତ କର୍ମା ଅମିନ ଚିନ୍ତାଡା କଣ୍ଡାଙ୍କୁ ରାୟଗଡା ପୋୖର ସଂସ୍ଥାକୁ ବଦଳି ହୋଇଛି। ଉଲେଖ୍ୟଯୋଗ୍ୟଯେ ଗୁଣପୁର ମ୍ୟୁନିସିପାଲଟିରେ ୧୯୯୮ ମସିହାରେ ନିଯୁକ୍ତି ପାଇବା ଦିନରୁ ଅମିନ ଚିନ୍ତାଡା କଣ୍ଡା ୨୮ ବର୍ଷ ହେଲା ବଦଳି ନହୋଇ ଗୁଣପୁରରେ ରହିଥିଲେ। ଅପର ପକ୍ଷରେ ଟାଉନ ପ୍ଲାନିଂ ସମୟରେ ଗୁଣପୁର ପୈାର ସଂସ୍ଥାକୁ ମିଳିଥିବା ପ୍ରାୟ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟ ପ୍ଲଟ ଜମିର ହିସାବ ବର୍ତ୍ତମାନ କିଏ ଦେବ ,ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମ୍ପର୍କିତ ସମସ୍ତ ଅନୁମୋଦନ ଫାଇଲ ଓ ମ୍ୟାପ ଗୁଡିକ ଅମିନ କଣ୍ଡା ବାବୁଙ୍କ ନିଜ ଅଧୀନରେ ରଖିଛନ୍ତି। ମ୍ୟୁନିସିପାଲଟିକୁ ନିୟମ ଅନୁଯାୟୀ ମିଳିଥିବା ଅନେକ ଜମିର ଗିଫ୍ଟ ଡିଡ଼ ଫାଇଲ ଗୁଡିକୁ ଗାଏବ କରିଦେଇ ଜମି ପ୍ରଦାନ କରିଥିବା ମାଲିକ ମାନଙ୍କ ସହ ବୁଝାମଣାରେ ଉକ୍ତ ପ୍ଲଟ ଗୁଡିକୁ ଅନ୍ୟତ୍ର ବିକ୍ରୟ କରି ଦେଇଥିବା ଅନେକ ନଜିର ରହିଛି। ସେହିପରି ପ୍ଲାନ ଅନୁମୋଦନ ହୋଇଥିବା ଜମିର ମାନଚିତ୍ରକୁ ମଧ୍ୟ ପରିବର୍ତ୍ତନ କରି କାମରେ ନଆସିବା ଜମିକୁ ଦେବା ଭଳି ଦର୍ଶାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି। ଅବଶିଷ୍ଟ ଜମିକୁ ଚିହ୍ନଟ କରି ମ୍ୟୁନିସିପାଲଟି ତାରବାଡ଼ ଦେଇ ବାରମ୍ବାର ଅଭିଯୋଗ କରୁଥିବା ସତ୍ବେ ଦାୟିତ୍ୱରେ ରହି ଆସୁଥିବା ପୋୖର ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀ ପଦକ୍ଷେପ ଗ୍ରହଣ କରି ନାହାନ୍ତି। ବର୍ତ୍ତମାନ ଜମି ଗୁଡିକର ସ୍ଥିତାବସ୍ଥା ନେଇ ସନ୍ଧେହ ଉଙ୍କି ମାରିଛି। ସୂଚନାଯୋଗ୍ୟ ବହୁ ପୂର୍ବରୁ ଜମି ପ୍ଲାନ ଅନୁମୋଦନ ସମୟରେ ଗିଫ୍ଟ ଡିଡ଼ ଗୁଡିକ ମ୍ୟୁନିସିପାଲଟିକୁ ବିନା ରେଜିଷ୍ଟ୍ରେସନରେ ଲିଖିତ ଦିଆଯାଉଥିଲା। ଯାହାଦ୍ଵାରା ପରବର୍ତ୍ତୀ ସମୟରେ ଅମିନ ବାବୁଙ୍କ ଆସାଧୁ ମେଣ୍ଟ ଜମି ମାଲିକଙ୍କ ସହ ମିଶି ଉକ୍ତ ପ୍ଲଟ ଗୁଡିକୁ ହଡ଼ପ କରିବା ପାଇଁ ସୁବିଧା ହୋଇଯାଇଛି। ଆଉ ଯେଉଁ ଫାଇଲରେ ଜାଗା ପରିମାଣ ଅନୁମୋଦନ ଆଦେଶ ରହିଛି, ସେହି ଫାଇଲ ଗୁଡିକ ଅଫିସରୁ ଗାଏବ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ତିନି ଦଶନ୍ଧି ଧରି ଅମିନ କଣ୍ଡାବାବୁ ରାଜ ଚଳେଇ ଆସୁଥିଲେ ମଧ୍ୟ କତ୍ତୃପକ୍ଷ ତାଙ୍କୁ ଜମି ହିସାବ ମାଗି ସୁରକ୍ଷିତ ରଖିବା ପାଇଁ କାହିଁକି ସାହାସ ଜୁଟାଇ ପାରୁନାହାନ୍ତି ତାହା ତଦନ୍ତ ସାପେକ୍ଷ । ଜୈନୟିକ ରାଜନେତାଙ୍କ ଛତ୍ରଛାୟା ତଳେ ରହି ଏହିଭଳି ଦୁର୍ନୀତି ଓ ବେଆଇନ କାର୍ଯ୍ୟ କରୁଥିବାରୁ ଅମିନ ବାବୁଙ୍କ ସାହାସ ବଢିଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଏହି ଅସାଧୁ କର୍ମଚାରୀ ଏବଂ ଅର୍ଥ ଲୋଭୀ ନେତାଙ୍କ ମିଳିତ ସ‌ହ‌ଯୋଗରେ ଗୁଣୁପୁର ପୌର ପାଳିକାର କୋଟି କୋଟି ଟଙ୍କାର ଜମି ହଡ଼ପ ହୋଇଥିବା ସାଧାରଣରେ ଆଲୋଚନା ହେଉଛି। ଉଲେଖନୀୟ ବିଷୟ ହେଉଛି ୨୦୨୧ ମସିହାରେ ତତ୍କାଳୀନ ନିର୍ବାହୀ ଅଧୁକାରୀ ଉମାପ୍ରସାଦ ଦାଶ ଜମି ଫାଇଲ ଗୁଡିକୁ ଯାଞ୍ଚ କରିଥିଲେ। ପୌରପାଳିକାକୁ ୨୭ ଜଣ ରିଏଲ ଇଷ୍ଟେଟ ମାଲିକଙ୍କଠାରୁ ମିଳିଥିବା ଜମି ତାଲିକା ଅମିନ କଣ୍ଡା ଙ୍କ ଦ୍ଵାରା ପ୍ରସ୍ତୁତ କରିଥିଲେ। ସେଥିରେ ରହିଥିଲା ପ୍ରାୟ ସାଢ଼େ ୪ ଏକରର ପ୍ଲଟ। ଯାହାର ବର୍ତ୍ତମାନ ମୂଲ୍ୟ ୫୦ କୋଟିରୁ ଅଧିକ। ଏହା ତାଲିକାଭୁକ୍ତ ମୋଟ ଜମିର ମାତ୍ର ୪୦ ପ୍ରତିଶତ। ଜମି ମାଲିକଙ୍କଠାରୁ ମିଳିଥିବା ବଳକା ୬୦ ପ୍ରତିଶତ ଜମିର ପୁରୁଣା ଫାଇଲଗୁଡିକ ଅଫିସରୁ ଗାଏବ କରିଦିଆଯାଇଥିବା ବେଳେ ପ୍ରମୁଖ ରିଏଲ ଇଷ୍ଟେଟ ମାଲିକମାନଙ୍କ ନାଁ ନଥିବା ସନ୍ଦେହକୁ ଅଧ‌ିକ ଦୃଢିଭୂତ କରିଥିଲା। ତତ୍କାଳୀନ ନିର୍ବାହୀ ଅଧିକାରୀ ଉମା ଦାଶଙ୍କୁ ବଦଳି ହେବା ପରେ
ଜମି ଘୋଟଲା ଉପରେ ବାରମ୍ବାର ତଥ୍ୟ ସହ ପୋୖର ପାଳିକାର ପରବର୍ତୀ ସମୟରେ ଆସିଥିବା ନିର୍ବାହୀ ଅଧିକାରୀ ସ୍ଵୟଂ ସମ୍ପୂର୍ଣ୍ଣା ରାଉତ,ସ୍ବସ୍ତିକ ଜମାଦାର ଓ ଏବେ ସନ୍ତୋଷ କୁମାର ନାୟକ ପ୍ରମୁଖଙ୍କ ନିକଟରେ କ୍ରମାଗତ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଅଧିକାରୀ ମାନେ କାହିଁକି ଏହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି ତାହା ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। ଏହିପରି କି କାଉନସିଲ ବୈଠକରେ ଜମି ଦୁର୍ନୀତି ଉପରେ ବିରୋଧୀ କାଉନସିଲର ମାନେ ବାରମ୍ବାର ପ୍ରଶ୍ନ କରୁଥିଲେ ମଧ୍ୟ କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇ ତୁନି ପଡିଛନ୍ତି। ଏହି ଜମି ଘୋଟଲା ପଛରେ ଅଧିକାରୀ ଓ ରାଜନେତାଙ୍କ ପ୍ରତ୍ୟକ୍ଷ ହାତ ରହିଥିବାରୁ ଦୁର୍ନୀତିରେ ଲିପ୍ତ ଅମିନ କଣ୍ଡାବାବୁଙ୍କୁ ସୁରକ୍ଷା ମିଳିଯାଉଛି। ରିଏଲ ଏଷ୍ଟେଟ ବେପାରୀ, ଜମି ବ୍ୟବସାୟୀ, ଟାଉନପ୍ଲାନିଂ ତଥା ପୈାର ସଂସ୍ଥାର ଅସାଧୁ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଜମି ଘୋଟଲା ବୃଦ୍ଧି ପାଇଛି । କେବଳ ଏତିକି ନୁହଁ ବେଆଇନ ଭାବେ ମ୍ୟୁନିସିପାଲଟି ଅଞ୍ଚଳରେ ବିନା ଟାଉନ ପ୍ଲାନିଂ ଦୁଇ ତୃତୀୟାଂଶ ଘୋରଇ ଜମିର ପ୍ଲଟର ନକ୍ସା ଅମିନ କଣ୍ଡା ବାବୁ ନିଜ ହାତରେ ପ୍ରସ୍ତୁତ କରିଛନ୍ତି। ଟାଉନ ପ୍ଲାନିଂ ନକରି ଜମି ମାଲିକ ମାନେ ପ୍ଲଟ ବିକ୍ରୟ କରିଛନ୍ତି। ଯାହା ଫଳରେ ମ୍ୟୁନିସିପାଲଟିକୁ ମିଳିବାକୁ ଥିବା ପ୍ରାୟ ୬୦ କୋଟି ଟଙ୍କାର ରାଜସ୍ବ ଓ ସମ୍ପତି ହରାଇବାକୁ ପଡିଛି। ଅପର ପକ୍ଷରେ କିଛି ହାତ ଗଣତିରେ ରିଏଲ ଏଷ୍ଟେଟ ମାଲିକ ମାନେ ଅଭିଯୋଗ କରିଛନ୍ତିଯେ ଜମି ପ୍ଲଟ ଟାଉନ ପ୍ଲାନିଂ ଅନୁମୋଦନ ପାଇଁ ଆବଶ୍ୟକ ଦସ୍ତାବିଜ ସହ ଟଙ୍କା ଦିଆଯାଇଛି କିନ୍ତୁ ଅମିନ ବାବୁ କରି ନାହାନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି। ଏବେବି ସହରର ଶତାଧିକ ଲୋକ ଘର ନକ୍ସା ଅନୁମୋଦନ ପାଇଁ ମ୍ୟୁନିସିପାଲଟି ଅମୀନଙ୍କ ନିକଟରେ ଆବଶ୍ୟକ ଦସ୍ତାବିଜ ଓ ଟଙ୍କା ପଇଠ କରିଥିଲେ ମଧ୍ୟ କାମ ହୋଇପାରିନାହିଁ। ଏମିତିକି ଟଙ୍କା ଫେରସ୍ତ ପାଇଁ ଦୀର୍ଘ ବର୍ଷ ହେଲା ଚକର କାଟୁଥିଲେ ମଧ୍ୟ ଅମିନ ଫେରାଇ ନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ତାଙ୍କୁ ରାୟଗଡା ବଦଳି ହୋଇଯାଇଥିବାରୁ ମୂଲ୍ୟବାନ ଜମିର ହିସାବ ଏବଂ ଲୋକଙ୍କ ଠାରୁ ନେଇଥିବା ଟଙ୍କା ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାର ପରଦା ଫାସ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଭିଜିଲାନ୍ସ ବିଭାଗ ନିକଟରେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ