ବେଆଇନ ବନ୍ଧୁକ ଚାଲାଣ ଉପରେ ହେବ ତଦନ୍ତ
ରାୟଗଡ଼ା, (ଯୋଗେଶ୍ୱର ଦାସ): ରାୟଗଡ଼ା ଜିଲ୍ଲାରେ ବେଆଇନ ବନ୍ଧୁକ ଚାଲାଣ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଏସପି ରାଜ ପ୍ରସାଦ । ରାୟଗଡ଼ା ଜିଲାରେ ବେଆଇନ ଆର୍ମସ ଉପରେ ରୋକ ଲଗାଯିବ ବୋଲି ପ୍ରକାଶ କରିଛନ୍ତି ନୂତନ ଏସପି । ବନ୍ଧୁକ କିଭଳି ଜିଲ୍ଲା ଭିତରେ ପ୍ରବେଶ କରୁଛି ଏବଂ କିଏ ଏହା ଯୋଗାଉଛି ତାହାର ତଦନ୍ତ କରାଯାଇ ଏଥିରେ ଜଡ଼ିତ ଥିବା ଦୁର୍ବୁତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଏସପି । ଏଥି ସହିତ ଜିଲାରେ ଯେଉଁମାନେ ବେଆଇନ ଭାବେ ବନ୍ଧୁକ ରଖିଛନ୍ତି ସେମାନେ ତୁରନ୍ତ ପୋଲିସ ନିକଟରେ ସେଗୁଡ଼ିକ ଦାଖଲ କରିଦେବାକୁ କହିଛନ୍ତି ଏସପି । ସୂଚନା ଯୋଗ୍ୟ ଯେ, ରାୟଗଡ଼ା ସହରରେ ଗତ ମେ ୯ ତାରିଖ ରାତିରେ ରେଲି ସାହି ହାଡ଼ପା ନିଖିଲଙ୍କୁ ଇନ୍ଦିରା ନଗର ତୃତୀୟ ଲେନ୍ରେ ଗୁଳି କରି ମାରିଥିଲେ ଦୁର୍ବୁତ । ଏହି ଘଟଣାରେ ଅଦ୍ୟାବଧି ୧୬ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ପୋଲିସ ଏହି ବନ୍ଧୁକ ନିଖିଲର ଏବଂ ହତ୍ୟାକାରୀ ନିଖିଲ ଠାରୁ ଛଡ଼ାଇ ନେଇ ଗୁଳି କରି ନିଖିଲକୁ ମାରିଥିବା ସୂଚନା ଦେଇଥିଲେ । ତେବେ ବନ୍ଧୁକ କେଉଁଠୁ ଆସିଲା ସେନେଇ ବର୍ତମାନ ପ୍ରଶ୍ନ ଉଠିଛି । ସହରରେ ଜିଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟ ତଥା ବାସଭବନ ରହିଥିବା କାରଣରୁ ଏଠାରେ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ରହିବା ଆବଶ୍ୟକ । କେବଳ ଏହି ଗୋଟିଏ ବନ୍ଧୁକ ନୁହେଁ ବରଂ ସହରରେ ଏହିଭଳି ବହୁତ ବେଆଇନ ବନ୍ଧୁକ ରହିଥିବା ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଫଳରେ ଲୋକେ ଭୟଭୀତ ହୋଇ ରହିଛନ୍ତି । ଗତ କିଛି ଦିନ ହେଲା କିଛି ସ୍ଥାନରେ ଲୋକଙ୍କୁ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ ବୋଲି ଅଭିଯୋଗ ହୋଇଛି।


