ଅଲଣାହାଟ-ମଧୁପୁର ରାସ୍ତା ଅବସ୍ଥା ଶୋଚନୀୟ
ନାଉଗାଁ, (ପ୍ରଦୋଷ ମହାନ୍ତି ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର ଅଲଣାହାଟ ମଧୁପୁର ରାସ୍ତାଟି ଅତି ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି ଠିକାଦାରଙ୍କ ଦୁଆଳିଆ ଗାଈ ପାଲଟି ଯାଇଛି। ପ୍ରାୟ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା କାମ କାରାଯାଉଛି । କିନ୍ତୁ ରାସ୍ତା କାମ ହେବାର କିଛି ମାସ ଭିତରେ ପୁଣି ବଡ଼ ବଡ଼ ଖାଲ ଖମାରେ ପରିଣତ ହୋଇ ଯାଉଛି | ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ପୂର୍ତ୍ତ ବିଭାଗ ପକ୍ଷରୁ ଅନାବଶ୍ୟକ ସ୍ଥାନରେ ଗାଡ଼ ୱାଲ ନିର୍ମାଣ କରାଯାଉଥିବା ବେଳେ ଆବଶ୍ୟକ ସ୍ଥାନରେ ରାସ୍ତା ନିର୍ମାଣ କରାଯାଉ ନ ଥିବା ଦେଖାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତା ମାତ୍ର ତିନି ଚାରି ମାସ ହେବ ନିମ୍ନମାନର ପିଚୁ ରାସ୍ତା କାର୍ଯ୍ୟ କରାଯାଇଥିଲା , କିନ୍ତୁ ଏବେ ଏହି ରାସ୍ତାରୁ ଗୋଡି, ଵଜୂରୀ ଉଠି ଯାଇଛି । ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନର ଅଲଣାହାଟ ଠାରୁ ମଧୁପୁର କୁଣ୍ଡେଶ୍ୱର ଦେଇ ବାଲିକୁଦା ସଂଯୋଗ କରିଛି। ଏହି ରାସ୍ତା ଦେଇ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଏହି ବାଟଦେଇ ବାଲିକୁଦା ମେଡିକାଲ, ବାଲିକୁଦା କଲେଜ ସ୍କୁଲ ଆଦିକୁ ଯାତାୟତ କରିଥାନ୍ତି। ଏହି ରାସ୍ତା ଶୋଚନୀୟ ହୋଇଥିବାରୁ ପଥଚାରି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରାମ ଚନ୍ଦ୍ର ସେଠୀଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଉନାହାନ୍ତି, ଯେତେବେଳେ ଉଠାନ୍ତି କୁହନ୍ତି ଟିକିଏ ପରେ କରୁଛି କହି ଫୋନ କାଟି ଦେଉଛନ୍ତି ।


