କନ୍ଧମାଳରେ ମ୍ୟାଟ୍ରିକ ଫଳାଫଳ : ସଫଳତା ନା ଚିନ୍ତାର କାରଣ?

କନ୍ଧମାଳ (ଓ୍ବାଇଏନଏସ):ରାଜ୍ୟରେ ଗତ ମାସରେ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଅନୁଯାୟୀ ୯୫.୩୩ ଶତକଡା ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କନ୍ଧମାଳ ଜିଲ୍ଲାର ଫଳାଫଳ ରାଜ୍ୟ ତୁଳନାରେ ଭଲ ଥିବା ସତ୍ତ୍ୱେ, ଏହାର ଗୁଣାତ୍ମକ ମୂଲ୍ୟାୟନ କଲେ ଅନେକ ପ୍ରଶ୍ନ ଉଠୁଛି। ଜିଲ୍ଲାରେ ୯୮.୧୭ ଶତକଡା ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ରାଜ୍ୟରେ କନ୍ଧମାଳ ତୃତୀୟ ସ୍ଥାନ ଅଧିକାର କରିଛି। ତଥାପି A1 ଗ୍ରେଡରେ ମାତ୍ର ୬ ଜଣ ଛାତ୍ରଛାତ୍ରୀ ସଫଳ ହେବା ଚିନ୍ତାର ବିଷୟ। ଜିଲ୍ଲାରୁ ମୋଟ ୧୦,୯୪୨ ଜଣ ପରୀକ୍ଷା ଦେଇଥିବାବେଳେ ୧୦,୫୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। A1 ଗ୍ରେଡ ପାଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ଫୁଲବାଣୀ ସରସ୍ୱତୀ ବିଦ୍ୟାମନ୍ଦିରରୁ, ଜଣେ ଘୁ.ଉଦୟଗିରି ହବାକ ହାଇସ୍କୁଲରୁ ଓ ଜଣେ ସାରଙ୍ଗଗଡ଼ ହାଇସ୍କୁଲରୁ ଅଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ଗୁଣତ୍ୱ ନେଇ ଗୁରୁତର ପ୍ରଶ୍ନ ରହିଛି। ପରୀକ୍ଷା ଫଳାଫଳ ଅନୁସାରେ A2 ରେ ୫୪, B1 ରେ ୩୧୮, B2 ରେ ୧୧୫୫, C ରେ ୨୮୭୭, D ରେ ୩୯୩୫ ଓ E ଗ୍ରେଡରେ ୨୨୨୬ ଜଣ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। A ଓ B ଗ୍ରେଡକୁ ଛାଡ଼ି ଦେଲେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ ଦେଖାଯାଉଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ ସ୍କୁଲରେ ଶିକ୍ଷକମାନେ ଉଚ୍ଚ ଦରମା ପାଉଥିବାବେଳେ ଅନେକ ବେସରକାରୀ ଶିଶୁମନ୍ଦିରରେ ସ୍ୱଳ୍ପ ଦରମାରେ କାମ କରୁଥିବା ଶିକ୍ଷକମାନେ ଭଲ ପରିଣାମ ଆଣୁଛନ୍ତି। ଏହାର ପଛରେ ଶୃଙ୍ଖଳା, ପାଠପଢ଼ା ପ୍ରତି ନିଷ୍ଠା ଓ ପରିଚାଳନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରାଥମିକ ଶିକ୍ଷାର ଦୁର୍ବଳ ଭିତି ମଧ୍ୟ ଏହାର ଏକ ପ୍ରମୁଖ କାରଣ। ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଉନ୍ନତ ନହେଲେ ମାଧ୍ୟମିକ ସ୍ତରରେ ଭଲ ଫଳ ଆଶା କରିହେବ ନାହିଁ। ତେଣୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶୀଘ୍ର ସୁଧାର ଆଣିବା ଆବଶ୍ୟକ। ତଦୁପରି, ଦଶକ ଧରି ଜିଲ୍ଲାର ଆର୍ଥିକ ପଛପଡ଼ା ଅବସ୍ଥା ଯୋଗୁଁ ଛାତ୍ରାବାସ ବ୍ୟବସ୍ଥା ଆବଶ୍ୟକ ବୋଲି ସୁପାରିଶ ହୋଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ପ୍ରତିବର୍ଷ ହଜାର ହଜାର ଯୁବକ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଉଛନ୍ତି। ଜଣେ ଶ୍ରମିକ ନେତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଜିଲ୍ଲାର ଅନ୍ୟୁନ ୫ ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି। କେବଳ ପାସ୍ ହାର ବଢ଼ିଲେ ଶିକ୍ଷାର ସଫଳତା ଆସେନାହିଁ; ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା, ଭିତିଭୂମି ସୁଧାର ଓ ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ