ମହିଳାଙ୍କୁ ଛୁରୀ ଦେଖାଇ ଦୁର୍ଷ୍କମ ଅଭିଯୋଗ, ଯୁବକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଘରେ ଏକାକୀ ଥିବାର ସୁଯୋଗ ନେଇ ଜଣେ ଯୁବକ ମହିଳାଙ୍କ ଘରେ ପଶି ଛୁରୀ ଦେଖାଇ ହତ୍ୟା କରିବା ଧମକ ଦେବା ସହ ବଳପୂର୍ବକ ଦୁର୍ଷ୍କମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଇଲାକାରେ ଘଟିଥିବା ଜଣାପଡିଛି। ପ୍ରକାଶ ଯେ, ସୋମବାର ରାତିରେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ବିବାହିତା ମହିଳା ଘରେ ଏକାକୀ ଥିବାର ସୁଯୋଗ ନେଇ ଜଣେ ଯୁବକ ମହିଳାଙ୍କ ଘରେ ପଶିଥିଲେ। ମହିଳାଙ୍କୁ ଏକ ଧାରୁଆ ଛୁରୀରେ ହତ୍ୟା କରିବା ଧମକ ଦେଇ ବଳପୂର୍ବକ ଦୁର୍ଷ୍କମ କରିଥିଲେ ବୋଲି ପୀଡିତା ମହିଳା ଜଣଙ୍କ ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୩୬୬/୨୬ ରେ ଏକ ମାମଲା ରୁଜୁ କରି ଶୁକ୍ରବାର ଦୁର୍ଷ୍କମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ମୋହିଗୁଡା ଗ୍ରାମର ଅମିର @ ଅନ୍ଧ ସୁଆଁସିଆ (୩୦) । ଉଭୟଙ୍କ ଡ଼ାକ୍ତରୀ ମାଇନା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ରଶ୍ମିରଞ୍ଜନ ସାମଲଙ୍କ ସୂତ୍ରରୁ ପ୍ରକାଶ। ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜୈନିକା ମହିଳା ସୋମବାର ରାତିରେ ଘରେ ଏକାକୀ ଥିଲେ। ମହିଳା ଜଣଙ୍କ ଘରେ ଏକାକୀ ଥିବାର ଜାଣିପାରି ନିକଟସ୍ଥ ହିଞ୍ଜିଳି ଥାନା ମୋହିଗୁଡା ଗ୍ରାମର ଯୁବକ ଜଣଙ୍କ ମହିଳାଙ୍କ ଘରେ ପଶି ଧରିଥିବା ଏକ ଛୁରୀରେ ହତ୍ୟା କରିବାର ଭୟ ଦେଖାଇ ବଳପୂର୍ବକ ଦୁର୍ଷ୍କମ କରିଥିଲେ। ୨ ଦିନ ପରେ ମହିଳାଙ୍କ ସ୍ବାମୀ ଘରେ ପହଞ୍ଚିବା ପରେ ମହିଳା ଜଣଙ୍କ ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ। ଘଟଣା ନେଇ ମହିଳା ଜଣଙ୍କ ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇ ଶୁକ୍ରବାର ସକାଳେ ମୋହିଗୁଡା ଗ୍ରାମରୁ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକ ଜଣଙ୍କ ମହିଳାଙ୍କୁ ଦୁର୍ଷ୍କମ କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ପୁଲିସ କହିଛି।ପ୍ରକାଶ ଥାଉକି, ସଂପୃକ୍ତ ମହିଳା ଜଣଙ୍କ ୩ଟି ସନ୍ତାନର ଜନନୀ ଅଟନ୍ତି।


