ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ଅସ୍ବୀକାର କଲେ କଟକ ଡିସିପି
କଟକ(ଓ୍ବାଇଏନଏସ) : ବାରଙ୍ଗ ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ଜଣେ ଯୁବକ ଗୁରୁତର ଘଟଣାରେ ମୁହଁ ଖୋଲିଛନ୍ତି, କଟକ ଡିସିପି ଋଷିକେଶ ଡି ଖିଲାରୀ । ପୋଲିସ ମାଡ଼ ମରିବା ଘଟଣାକୁ ସେ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି । ଯୁବକଙ୍କୁ ଯେଉଁ ଦିନ ଥାନାକୁ ଡକା ଯାଇଥିଲା, ସେହି ଦିନ ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଛଡ଼ା ଯାଇଛି । ଜଣେ ମହିଳାଙ୍କ ଶବ ମିଳିବା ପରେ ତାଙ୍କୁ ଥାନାକୁ ଡକା ଯାଇଥିଲା । ଯୁବକ ଜଣଙ୍କ କିଡନୀ ଜନିତ ରୋଗର ଶିକାର ହୋଇ ଅସୁସ୍ଥତା ହେବା ପରେ ପୋଲିସ ତାଙ୍କୁ କଟକ ବଡ଼ ମେଡିକାଲ ନେଇଥିଲା । ସ୍ୱତନ୍ତ ଡାକ୍ତର ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ସେହିପରି ଏହି ଘଟଣାର ସିସିଟିଭି ଫୁଟେଜ୍ ଦେଖାଯାଉଛି । ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ଆସିବା ପରେ ଯେଉଁମାନେ ଦୋଷୀ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଳିଥିବା ଖବର ମୁତାବକ ଯୁବକ ଜଣକ କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଯୁବକ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ କେଉଁ ଆଡକୁ ନିଆଗଲା ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍ତେଜିତ ହୋଇ ପଡ଼ିଥିଲେ । ଏନେଇ ବାରଙ୍ଗ ଥାନା ଆଗରେ ଆନ୍ଦୋଳନ କରିଥିଲେ । ଏପରିକି ଭୁବନେଶ୍ୱର ବାରଙ୍ଗ ରୋଡ୍ ବ୍ଲକ କରି ପ୍ରତିବାଦ କରିଥିଲେ । ଦୀର୍ଘ ସମୟ ଧରି ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇ ଯାଇଥିଲା । କାଳବୈଶାଖୀ ବର୍ଷା ସତ୍ବେ ଆନ୍ଦୋଳନକାରୀମାନେ ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ । ରାତି ପ୍ରାୟ 10ଟା ସମୟରେ ପୋଲିସ ଜବରଦସ୍ତ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇ ଥିଲା । ମାତ୍ର ରାସ୍ତାର ଗୋଟିଏ ପାର୍ଶ୍ୱରେ ଆନ୍ଦୋଳନକାରୀ ପ୍ରତିବାଦ କରିଥିଲେ । ପରିସ୍ଥିତି ଉତ୍ତେଜନା ଥିବାରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ପ୍ରାୟ 20 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଉତ୍ୟକ୍ତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଛନ୍ତି । ମାତ୍ର ବୁଝିବାକୁ ନାରାଜ ଉତ୍ୟକ୍ତ ଲୋକେ ।ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କୁ ବାରଙ୍ଗ ଥାନା ପୋଲିସ ବେଆଇନ ଭାବେ ଅଟକ ରଖି ଥାନାରେ ଥାର୍ଡ ଡିଗ୍ରୀ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର ମହିଳାଙ୍କ ମୃତ ଦେହ ଘଟଣାରେ ରାକେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ରାକେଶଙ୍କ ପତ୍ନୀ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା । ମୃତ ଦେହଟି ରାକେଶଙ୍କ ପତ୍ନୀଙ୍କର ହୋଇଥିଵା ନେଇ ପୋଲିସ ସନ୍ଦେହ କରୁଥିଲା । ରାକେଶଙ୍କ ନିଖୋଜ ପତ୍ନୀଙ୍କ ସନ୍ଧାନ ମିଳିଵା ପରେ ମଧ୍ୟ ରାକେଶଙ୍କୁ ଛାଡିନଥିଲା ପୋଲିସ । ରାକେଶ ପୋଲିସ ମାଡ଼ରେ ଗୁରୁତର ହୋଇପଡ଼ିଥିଵା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାକେଶଙ୍କୁ ପରିବାରକୁ ହସ୍ତାନ୍ତର କରିବା ଦାବିରେ ଥାନା ଆଗରେ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ରାକେଶଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ମେଡିକାଲରେ ଭର୍ତ୍ତି କରିଥିଵା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ବାରଙ୍ଗ ଥାନା ଅନ୍ତର୍ଗତ ବ୍ରାହ୍ମଣିଗାଁ ନିକଟରେ କାଠଯୋଡି ନଦୀରୁ ଜଣେ ମହିଳାଙ୍କ ଅଧା ପୋଡା ମୃତ ଦେହ ମିଳିବା ଆଜିକୁ ଦୁଇ ସପ୍ତାହ ବିତିଲାଣି । କିନ୍ତୁ ଏଯାଏ ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ । ସେପଟେ ଚଣ୍ଡି ପ୍ରସାଦ ଗାଁରୁ ଜଣେ ମହିଳା ନିଖୋଜ ଥିବା ନେଇ ଗତ ୧୬ ତାରିଖରେ ଥାନାରେ ଏତଲା ହୋଇଥିଲା । ନଦୀ ଵାଲିରୁ ମିଳିଥିଵା ମୃତ ଦେହଟି ସେହି ନିଖୋଜ ମହିଳାଙ୍କର ହୋଇଥିଵା ସନ୍ଦେହ କରି ପୋଲିସ ସମ୍ପୃକ୍ତ ମହିଳାଙ୍କର ସ୍ବାମୀ ରାକେଶ ବେହେରାଙ୍କ ସହ ତାଙ୍କ ମା’ ଓ ତାଙ୍କ ସାଙ୍ଗ ମିଥୁନ ବେହେରାଙ୍କୁ ଥାନାରେ ଅଟକ ରଖିଥିଲା ।


