ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଓରାଳି-ଆପଣ୍ଡାର ତୁଟିଲା ସୀମା ବିବାଦ

ହାଟଡିହି : – କେନ୍ଦୁଝର ଜିଲ୍ଲାର ଓରାଳି ଓ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମ ମଧ୍ୟରେ ଲାଗି ରହିଥିବା  ସୀମା ବିବାଦ ୩ ବର୍ଷ ପରେ ଗତକାଲି ସମାଧାନ ହୋଇଛି। ଭଦ୍ରକ ଜିଲ୍ଲାପାଳ ଡ.ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଏହି ବିବାଦର ଅନ୍ତ ଘଟିଛି । ଦୀର୍ଘ ୩ ବର୍ଷ ଧରି ଦୁଇ ଜିଲ୍ଲାର ଦୁଇଟି ଗାଁ ମଧ୍ୟରେ ଏହି ସୀମା ବିବାଦ ଲାଗି ରହିଥିଲା। କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ସହମତିରେ ଦୁଇଟି ଗାଁର ଗ୍ରାମବାସୀଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ହୋଇଛି। ବିଶେଷକରି ଭଦ୍ରକ ଜିଲାପାଳ ଡ.ରାଉତରାଏଙ୍କ ଅଧ୍ଯକ୍ଷତାରେ ସଦ୍‌ଭାବନା ଗୃହରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭଦ୍ରକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ବନ୍ତ ବ୍ଲକ ଚେୟାରମ୍ୟାନ୍ ମନୋରଞ୍ଜନ ଘଡ଼ାଇ, ବନ୍ତ ବିଡିଓ ସୀତାକାନ୍ତ ରାଉତ, ବସନ୍ତିଆ ସରପଞ୍ଚ ଅଶୋକ ସାହୁ, ହାଟଡିହି ବ୍ଲକର ବିଡିଓ ରଞ୍ଜନ କୁମାର ପରିଡା, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଓରାଳି ପଞ୍ଚାୟତର ସମିତି ସଭ୍ୟ ଦେବବ୍ରତ ବେହେରାଙ୍କ ସହ କିଛି ଗ୍ରାମବାସୀ ଉପସ୍ଥିତ ଥିଲେ। ବୈଠକରେ  ସୀମା ବିବାଦ ନେଇ ଆଲୋଚନା ହୋଇଥିଲା। ଶେଷରେ ବିବାଦୀୟ ସ୍ଥାନଟିକୁ ସ୍ବାଧୀନତା ସଂଗ୍ରାମୀ ଛକ ଓ ସେଠାରେ ଥିବା ବସ୍ ଷ୍ଟପେଜ୍‌କୁ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା।  ପରବର୍ତୀ ସମୟରେ ଉଭୟ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ସ୍ବାଧୀନତା ସଂଗ୍ରାମୀ ଛକ ଓ ଯାତ୍ରୀ ବିଶ୍ରାମଗାରର ଉଦ୍‌ଘାଟନ କାର୍ଯ୍ୟ ସମାପନ ହେବ ବୋଲି ଜିଲ୍ଲାପାଳ ଡ.ରାଉତରାଏ ବୈଠକରେ କହିଥିଲେ। ସରକାରଙ୍କ ତରଫରୁ ନିର୍ମାଣ ହୋଇ ଦୀର୍ଘବର୍ଷ ହେବ ବନ୍ଦ ରହିଥିବା ଯାତ୍ରୀ ବିଶ୍ରାମଗାର ଟିକୁ ଯାତ୍ରୀଙ୍କ ପାଇଁ ଖୋଲାଯିବାକୁ ନିଷ୍ପତି ହୋଇଥିଲା। ଉଦଘାଟନ ଦିନ ଜିଲ୍ଲାପାଳଙ୍କ ସହ ଉଭୟ ବ୍ଲକର ବିଡ଼ିଓ, ଉଭୟ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ରହିବେ ବୋଲି ନିଷ୍ପତି ହୋଇଥିବା ନେଇ ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡା ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଭଦ୍ରକ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଛକର ଉନ୍ନତିକରଣ କରାଯିବ।    ଏହି ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ଗାଁ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ଥିବା ଲୋକଙ୍କ ନାମରେ ହୋଇଥିବା ମାମଲା ଗୁଡିକର ସମାଧାନ ପାଇଁ ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସ‌ହ କ‌ଥାବାର୍ତା ହୋଇଥିଲେ।  ଗତ ୧୬.୦୪.୨୦୨୩ରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଓରାଳି ଛକ ଠାରେ ସୀମା ବିବାଦରୁ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଘବଦ୍ଧ ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବାବେଳେ ୧୦ ରୁ ଊର୍ଦ୍ଧ ଦୋକାନ ଘରକୁ ଜାଳିଦିଆଯାଇଥିଲା। ଦୀର୍ଘବର୍ଷ ଧରି ଓରାଳି ଛକ କୁହାଯାଉଥିବା ସ୍ଥାନଟି  ଆପଣ୍ଡା ଆରଆଇଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ପରେ ଏହା ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଆପଣ୍ଡା ଗ୍ରାମର ବୋଲି ଜଣାପଡିଥିଲା। ଆପଣ୍ଡା ଗ୍ରାମର କେତେକ ବ୍ୟକ୍ତି ଓରାଳି ଛକରେ ଆପଣ୍ଡା ଗ୍ରାମର ନାମ ଫଳକ ଲଗାଇବାରୁ ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ