ନବୀନ ବାବୁଙ୍କୁ ଭେଟିଲେ ସଂଳାପକାର ସିମାଞ୍ଚଳ
ଆସିକା (ୱାଇଏନ୍ଏସ୍) :ଆସିକା ଡାକ ମଣ୍ଡଳରେ କାର୍ଯ୍ୟରତ ଯୁବ ଲେଖକ ତଥା ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ସଂଳାପକାର ତଥା କାହାଣୀକାର ସିମାଞ୍ଚଳ ମହାରଣା କ୍ଷୁଦ୍ର ଚଳଚ୍ଚିତ୍ର “ଅଦମ୍ୟ” ର ପ୍ରତିନିଧି ଦଳଙ୍କ ଗହଣରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଥିବା ଜଣାପଡିଛି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁଦ୍ର ଚଳଚ୍ଚିତ୍ର ଅଦ୍ୟମର ପ୍ରତିନିଧି ଦଳକୁ ଅନ୍ତର୍ଜାତୀୟ ସଫଳତା ପାଇଥିବାରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ୧୭ ତାରିଖରେ ଔରଙ୍ଗାବାଦରେ ଆୟୋଜିତ ରିଲ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କ୍ଷୁଦ୍ର ଚଳଚ୍ଚିତ୍ର ଅଦ୍ୟମକୁ ଶ୍ରେଷ୍ଠ ଫିଲ୍ମ ଏବଂ ଶ୍ରେଷ୍ଠ ସଂଳାପକାର ଓ ଶ୍ରେଷ୍ଠ ଅଭିନେତା ବର୍ଗରେ ସମ୍ମାନିତ କରାଯାଇଥିଲା । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଆସିକା ଡାକବିଭାଗର କର୍ମଚାରୀ ତଥା କାହାଣୀକାର ଏବଂ ସଂଳାପକାର ସିମାଞ୍ଚଳ ମହାରଣା ସମ୍ମାନିତ ହୋଇଥିଲେ । ନୃତ୍ୟମ୍ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକଙ୍କ ନେତୃତ୍ୱରେ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟର ପ୍ରତିନିଧି ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ଜଣାପଡିଛି । ସଂଳାପକାର ସିମାଞ୍ଚଳ ମହାରଣାଙ୍କ ସମେତ ଅଦମ୍ୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ, ଅଭିନେତ୍ରୀ ଇ.ସଞ୍ଚିତା ପାତ୍ର ଓ କାଜଲ ବେହେରା, ନୃôତ୍ୟଶିଳ୍ପୀ ଅଦିତି ପାଣିଗ୍ରାହୀ, ଲୋକାର୍ଣ୍ଣବ ପଟ୍ଟନାୟକ, ପିଣ୍ଟୁ ସାହୁୁଙ୍କ ସମେତ ବହୁ ସଦସ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସମୟରେ ଉପସ୍ଥିତ ଥିଲେ । ଗତ ୧୯ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଫେସ୍ବୁକ୍ ଓ ଏକ୍ସ ପୃଷ୍ଠାରେ ଅଦମ୍ୟର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ପାଇଁ କଳାକାରମାନଙ୍କ ଉତ୍ତରୋତ୍ତର କାମନା କରିଥିଲେ । ଗଞ୍ଜାମ ଜିଲ୍ଲାର ଅନ୍ୟତମ ଆଗଧାଡିର ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କ ନିର୍ଦ୍ଦେଶନା ଓ ବରିଷ୍ଠ ତଥା ଅଭିଜ୍ଞ ସଂଳାପକାର ସିମାଞ୍ଚଳ ମହାରଣାଙ୍କ ଲିଖିତ ଏବଂ ନୃତ୍ୟମ୍ ଅନୁଷ୍ଠାନର ବ୍ୟାନର୍ରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ଗଞ୍ଜାମ ଜିଲ୍ଲାର ଲୋକକଳା ଏବଂ ଲୋକନୃତ୍ୟକୁ ନେଇ ପ୍ରସ୍ତୁତି କରାଯାଇଥିଲା ବେଳେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଅଦମ୍ୟ ବେଶ୍ ପ୍ରଶଂସା ସାଉଁଟିବାରେ ଲାଗିଥିବା କଳାପ୍ରେମୀଙ୍କ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି ।


