ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା :ଆସିକାର ୪ ଡିଗ୍ରୀ କଲେଜରେ ୧୬୩୨ ସିଟ୍
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଗତ ୨୭ ତାରିଖ ଠାରୁ ସ୍ନାତକ (ଯୁକ୍ତ ତିନି)ରେ ନାମଲେଖା ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ ଆରମ୍ଭ ହୋଇଯାଇଛି । ଆସନ୍ତା ଜୁନ୍ ମାସ ୧୦ ତାରିଖ ରାତି ୧୧ଟା ୪୫ ମିନଟ୍ ଯାଏଁ ଆବେଦନର ସୁଯୋଗ ରହିବ ବୋଲି ଜଣାପଡିଛି । ଜୁନ୍ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ମାସ ୧୭ ତାରିଖରୁ ୨୦ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସ୍ଳାଇଡ୍, ଫ୍ରିଜ୍, ଫ୍ଲୋଟ୍ ଅପ୍ସନ୍ ସହ ନାମ ଲେଖାଇବା ପାଇଁ ଅନ୍ଲାଇନ୍ ଫି ଦାଖଲ କରିପାରିବେ । ଆସନ୍ତା ଜୁନ୍ ମାସ ୧୮ ତାରିଖରୁ ୨୦ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଜୁଲାଇ ମାସ ୯ ତାରିଖରୁ ପାଠପଢା ଆରମ୍ଭ ହେବ । ଯୁକ୍ତ ତିନି ଡିଗ୍ରୀ କଲେଜରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ସାମ୍ସ୍ ୱେବ୍ସାଇଟ୍ ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳୁଛି । ଆସନ୍ତା ଜୁନ୍ ମାସ ୨୦ ତାରିଖ ରାତ୍ର ୯ଟା ମଧ୍ୟରେ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅପ୍ଲୋଡ୍ କରିବେ । ଆସନ୍ତା ଜୁନ୍ ମାସ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ମାସ ୨୯ ତାରିଖ ଠାରୁ ଜୁଲାଇ ମାସ ୪ ତାରିଖ ମଧ୍ୟରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ପେମେଣ୍ଟ କରିବେ, ଜୁନ୍ ମାସ ୩୦ ତାରିଖରୁ ଜୁଲାଇ ମାସ ୪ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ । ଜୁଲାଇ ମାସ ୮ ତାରିଖରୁ ୧୦ ତାରିଖ ମଧ୍ୟରେ ୱେଟିଂ/ସ୍ପଟ୍ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ମାସ ୧୭ ତାରିଖରେ ନାମ ଲେଖାଇବେ ଏବଂ ୧୮ ରୁ ୨୦ ତାରିଖ ମଧ୍ୟରେ ନାମଲେଖାର ତଥ୍ୟ ସାମ୍ସ ପୋର୍ଟାଲରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଅପ୍ଲୋଡ କରିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଆସିକା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ୨୫୬ଟି ଲେଖାଏଁ ସିଟ୍ ରହିଥିବା ଜଣାପଡିଛି । ସେହିଭଳି ନିମିନା ବୃନ୍ଦାବନ ଚନ୍ଦ୍ର ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତତିନି କଳା ପାଠ୍ୟକ୍ରମରେ ୧୯୨ଟି ଓ ବିଜ୍ଞାନ ପାଠ୍ୟକ୍ରମରେ ଯୁକ୍ତ ତିନି କଳା ପାଠ୍ୟକ୍ରମରେ ୪୮୦ଟି ସିଟ୍ ଏବଂ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତତିନି ଶାସ୍ତ୍ରୀ ପାଠ୍ୟକ୍ରମରେ ୬୪ଟି ସିଟ୍ ରହିଥିବା ଜଣାପଡିଛି । ଆସନ୍ତା ଜୁଲାଇ ମାସ ୯ ତାରିଖରୁ ଯୁକ୍ତତିନି ପ୍ରଥମବର୍ଷ ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ୩ଟିସ୍ନାତକ ମହାବିଦ୍ୟାଳୟରେ ଚଳିତବର୍ଷ ବିଜ୍ଞାନ, କଳା, ବାଣିଜ୍ୟ, ସଂସ୍କୃତ ଉପଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ ୧୬୩୨ସିଟ୍ ରହିଥିବା ଜଣାପଡିଛି । ଯୁକ୍ତ ଦୁଇ ପାସ୍ କରିବା ପରେ ବହୁ ଛାତ୍ରଛାତ୍ରୀ ଯୁକ୍ତ ତିନି ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପରିବର୍ତ୍ତେ ନିଟ୍, ଜେଇଇ ଭଳି ପରୀକ୍ଷା ଦେଇ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ପାଠ ପଢିବା ପାଇଁ ସଜବାଜ ହେଉଥିବାରୁ ଚଳିତବର୍ଷ ଆସିକାର କେତେକ ଡିଗ୍ରୀ କଲେଜରେ ବହୁ ସିଟ୍ ଖାଲି ପଡିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି ।


