ବୈତରଣୀ ନଦୀର ବେଆଇନ ବାଲି ଲୁଟ: ରୋକ ଲଗାଇ ପାରୁନି ଖଣି ବିଭାଗ

ହାଟଡିହି, (ଓ୍ବାଇଏନଏସ): ବୈତରଣୀ ନଦୀର ଆମ୍ବୋ ଘାଟରୁ ଦିନ ଦି ପହରେ ଲୁଟ ହେଉଛି ଟ୍ରିପ ଟ୍ରିପ ବାଲି। ଖଣି ବିଭାଗ ଅଧିନରେ ଲଘୁ ଖଣିଜ ବିଭାଗ ଥିବାବେଳେ ରୋକ ଲଗାଇ ପାରୁନି ଖଣି ବିଭାଗ । ଖଣି ବିଭାଗର ଅଧିକାରୀ ମାନେ ଏହି ଅଞ୍ଚଳକୁ ଆସୁଥିବା ସୁଚ଼ନା ମାଫିଆମାନେ ପୁର୍ବରୁ ପାଇଯାଉ ଥିବାରୁ ଗୋଟିଏ ବି ଗାଡି ଜବତ କରିବାରେ ସଫଳ ହୋଇପାରୁନି ବିଭାଗ।  ଗତ କିଛିଦିନ ପୂର୍ବେ ଯଦିଓ ୪ଟି ଟ୍ରାକ୍ଟର ଜବଦ କରିଥିଲା ମାତ୍ର ପରେ ଦୁଇଗୁଣ ଅଧିକା ବାଲି ଉତ୍ତୋଳନ ହେଲା। କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧୀନରେ ଥିବା ଲିଜ ଖଣି ଗୁଡ଼ିକରେ ବ୍ୟାପକ ଧରପଗଡ଼ ପରେ ଏବେ ବେଆଇନ ବାଲି ପରିବହନ କ୍ଷେତ୍ରରେ କିଛିଟା ରୋକ ଲାଗିଛି। କିନ୍ତୁ ବୈତରଣୀ ନଦୀର  ଆମ୍ବୋ ଘାଟରୁ  ବେଆଇନ ଭାବେ ବାଲି ଉତ୍ତୋଳନ କରି ମାଲେ ମାଲ ହେଉଛନ୍ତି ବାଲି ମାଫିଆ। ଦୈନିକ ଶହ ଶହ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଛି। ଏପରିକି ଟ୍ରାକ୍ଟରରେ ବାଲି ଆଣି ନିକଟସ୍ଥ ସ୍ଥାନ ମାନଙ୍କରେ ଗଚ୍ଛିତ ରଖି ହାଇୱା ଯୋଗେ ବାହାରକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଲିଜ ଘାଟ ଠାରୁ ଏଠାରେ ଶସ୍ତାରେ ବାଲି ପାଉଥିବାରୁ ଏହି ବାଲି ଭଦ୍ରକ, ବାଲେଶ୍ଵର ଜିଲ୍ଲାକୁ ମଧ୍ୟ ଚାଲାଣ ହେଉଛି। ଏତେ ସଂଖ୍ୟକ ଟ୍ରାକ୍ଟର ଯିବା ଆସିବା କରିବାଦ୍ୱାରା ରାସ୍ତା ଘାଟ ଶୋଚନୀୟ ହୋଇପଡିଛି। ସାଧାରଣ ଲୋକମାନେ ମଧ୍ୟ ନିରାପଦରେ ଯାତାୟତ କରିପାରୁନାହାନ୍ତି । ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ସୁଚ଼ନା ଦେଉଥିଲେ ବି ସମ୍ମୁଖକୁ ଆସି ବିରୋଧ କରିବାକୁ ଭୟ କରୁଛନ୍ତି।   ଆମ୍ବୋ ଘାଟରୁ ଦିନରାତି ବାଲି ବୁହା ଚାଲିଛି। ବେଆଇନ ବାଲି  ଚାଲାଣ ଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟୁଛି। ଖଣି ବିଭାଗର ଅଧିକାରୀ ମାନେ ଦିନବେଳା ଆସି ଏହି ବାଲି ଚୋରା ଚାଲାଣରେ ରୋକ ଲଗାଇ ବାକୁ ସକ୍ଷମ ହୋଇ ପାରୁନାହାନ୍ତି । ପୋଲିସ ମଧ୍ୟ ସେପରି ଆଖି ଦୃଶିଆ ଚଢ଼ାଉ କରୁନି। ତେଣୁ ଏବେ ନା ତହସିଲ ଭୟ ନା ପୁଲିସ ଭୟ କିଛି ନଥିବାରୁ ଏହି ଘାଟର ବାଲି ମାଫିଆ ମାନେ ଲଗାମ ଛଡ଼ା ହୋଇଯାଇଛନ୍ତି। ଏଣୁ ଜିଲ୍ଳା ପ୍ରଶାସନ ଏହା ଉପରେ ରୋକ ଲଗାଇବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ