‘ରକ୍ତନଦୀ-କାଦମ୍ବରୀ-ଅରଣ୍ୟର ସ୍ୱର’ ପାଠକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା): ଚନ୍ଦ୍ରଭାଗୋତ୍ସବ ପ୍ରସ୍ତୁତି ଆନୁକୂଲ୍ୟରେ ସ୍ଥାନୀୟ ‘ଆତିଥ୍ୟ’ଭବନ ସମ୍ମଳନୀ କକ୍ଷରେ ପ୍ରତିଷ୍ଠାତା କବି ଶ୍ରୀଦେବ ଓ ସାଥୀମାନଙ୍କ ମିଳିତ ଉଦ୍ର୍ୟମରେ ସଂଯୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପୂର୍ବମାସ ପରି ଏହି ସେପ୍ଟେମ୍ବର ମାସରେ ଓଡ଼ିଶାର ଖ୍ୟାତନାମା କଥାକାର ରାଧାବିନୋଦ ନାୟକଙ୍କ ରଚିତ ତିନୋଟି ନାଟକ (ରକ୍ତନଦୀ-କାଦମ୍ବରୀ-ଅରଣ୍ୟର ସ୍ୱର) ପାଠକମାନଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟିତ ହୋଇଯାଇଛି। କବି-କଥାକାର ତଥା ନାଟ୍ୟକାର ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପ୍ରୋକ୍ତ ସାନ୍ଧ୍ୟ ଲୋକାର୍ପଣ କାର୍ଯ୍ୟକ୍ରମରେ ତିନୋଟି ନାଟକର ସ୍ରଷ୍ଟା ରାଧାବିନୋଦ ମୁଖ୍ୟ ଅତିଥି ଏକାଡେମୀ ପୁରସ୍କୃତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ଏକାଡେମୀର ପୁରସ୍କାର ପ୍ରାପ୍ତ ସଂଳାପ ଲେଖକ ବିଜୟ ଦାସ, ‘ପକ୍ଷୀଘର’ ପବ୍ଲିକେଶନର ମୁଖ୍ୟ ପ୍ରକାଶକ ବନୋଜ ତ୍ରିପାଠୀ ପୁସ୍ତକ ଉଦ୍ଘାଟନୀ ଅବସରରେ ମିଳିତ ଭାବେ ସାହିତ୍ୟ ସୃଷ୍ଟିର କବିତା, ଗଳ୍ପ, ନାଟକକୁ ତ୍ରିଭୁଜ ସଦୃଶ ଆଖ୍ୟା ଦେବା ସଂଗେ ସଂଗେ ଏହି ତିନୋଟି ବିଭାଗ ଭିତରୁ କାହାକୁ ବାଦ୍ ଦେଲେ ସାହିତ୍ୟ ସଫଳ ହୁଏନି ବୋଲି ମତପୋଷଣ କରିଥିଲେ। କବିତାରେ ପ୍ରାୟତଃ ନିଦ୍ଦିଷ୍ଟ ପ୍ରସଙ୍ଗାମନଙ୍କୁ ସଂକ୍ଷିପ୍ତରେ ସ୍ଥାନ ଦିଆଯାଉଥିବାବେଳେ ନାଟକରେ ଉପନ୍ୟାସରେ ତୁଳନାତ୍ମକ ଭାବରେ ବିସ୍ତୃତ କରାଯାଇଥାଏ ବୋଲି ସୂଚନା ଦେଇଥିଲେ। ତେବେ ସାମାଜିକ ସମସ୍ୟା ବିହୀନ ‘ନାଟକ’ ପାଠକଙ୍କୁ ଆକର୍ଷିତ କରିପାରେନା ବୋଲି ଅତିଥିମାନେ ମତବ୍ୟକ୍ତ ରଖିଥିଲେ।
ସ୍ୱତନ୍ତ୍ର ଅତିଥି ଭାବରେ କଥାକାର-ନାଟ୍ୟକାର ରାଧାବିନୋଦଙ୍କ ସୁକନ୍ୟା ଇଂରାଜୀ ଲେଖିକା ଡ. ଲିପିପୁଷ୍ପା ନାୟକ ନିଜ ପିତାଙ୍କର ଗଳ୍ପ ତଥା ନବଉନ୍ମେଷକାରୀ ତିନୋଟି ନାଟକ ରଚନାର ସୂକ୍ଷ୍ମଚେତନା ଉପରେ ଆଲୋକପାତ କରିଥିବା ସ୍ଥଳେ ପ୍ରାକ୍କଥନରେ କବି-କଥାକାର ଗଂଗାଧର ବିଶ୍ୱାଳ ଉପସ୍ଥିତ ଅତିଥିମାନଙ୍କର ବିସ୍ତୃତ ପ୍ରତିଭା ପରିଚିତି ରଖିଥିଲେ। ଆଇନ୍ଜୀବୀ ପର୍ଶୁରାମ ପ୍ରଧାନ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କର ଉଦ୍ଘାଟନୀ ପ୍ରଣାମୀ ଅବସରରେ ଶ୍ଳୋକପାଠ କରିବା ସହ ଅନ୍ତିମପର୍ଯ୍ୟାୟରେ ଉପସ୍ଥିତ ଅତିଥି ତଥା ପ୍ରତିକୂଳ ପାଣିପାଗ ସତ୍ତ୍ୱେ ବହୁ କଳାସାହିତ୍ୟ ବୁଦ୍ଧିଜୀବୀମାନଙ୍କୁ ଭୂୟସୀ ଶ୍ରଦ୍ଧା-ଅନୁକମ୍ପା ପ୍ରଦାନ କରିଥିଲେ।
ଏହି ସନ୍ଧ୍ୟାରେ ସର୍ବଶ୍ରୀ ଡ. ସୁବାସ ଚନ୍ଦ୍ର ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ଉତ୍ପଳ ମହାନ୍ତି, ଅବନୀ ଜେନା, ରାଜେନ୍ଦ୍ର ରାଉତ, ସିତାଂଶୁ ଲେଂକା, ଦେବେନ୍ଦ୍ରନାଥ ପୃଷ୍ଟି, ଆଲୋକ ବାରିକ, କମଳାକାଂତ ଆଚାର୍ଯ୍ୟ, ପ୍ରଭାତି ପଣ୍ଡା, ପୁଷ୍ପଲତା ଚକ୍ରବର୍ତ୍ତୀ, କଲ୍ୟାଣୀ ନଦ, ଲକ୍ଷ୍ମଣ ବିଶ୍ୱାଳ, କମଳାକାନ୍ତ ନାୟକ, ଲକ୍ଷ୍ମୀକାନ୍ତ ବେହେରା, ବିଦ୍ୟାଧର ସାହୁ, ଅଶ୍ୱିନୀ ଶତପଥୀ, ବ୍ରହ୍ମାନନ୍ଦ ସ୍ୱାଇଁ, ଅରୁଣା ରାୟ, ମିତା ପଟ୍ଟନାୟକ, ବାସନ୍ତୀ ଦେ, ସୁବ୍ରତା ମହାନ୍ତି, ତୁଷାରକାନ୍ତି ମହାପାତ୍ର, ପ୍ରଭାତ ସ୍ୱାଇଁ, ପ୍ରଭାକର ସ୍ୱାଇଁ, ଆଶିଷ ଚକ୍ରବର୍ତ୍ତୀ, ମାଧବଚନ୍ଦ୍ର ପରିଡ଼ା, ଚନ୍ଦ୍ରାଂଶୁ ବାନାର୍ଜୀ, ରାଜୀବ ବେହେରା, ଦିଲ୍ଳୀପ ଚକ୍ରବର୍ତ୍ତୀ, ବସନ୍ତ ପ୍ରଧାନ, ଡ. ଦିଲ୍ଲୀପ ରଥ, ହିମାଂଶୁ ଦାସ, ଇପ୍ସିତ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସହଭାଗିତା ପ୍ରକାଶ କରିଥିଲେ।


