୧୦୮ ଦୀପ ଜାଳି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ କାମନା
କଟକ, (ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଥିବାବେଳେ କଟକରୁ ପୁରୀ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ୧୦୮ ଦୀପ ପ୍ରଜ୍ୱଳନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ଏହି ସମୂହ ଦୀପଦାନ କରାଯାଇଥିଲା।କଟକ ଜିଲ୍ଲା ବିଜେପି ମହିଳା ଶାଖାର ଉପସଭାପତି ତଥା ଆଇନଜୀବୀ ଶର୍ମିଷ୍ଠା ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଶହେରୁ ଊର୍ଦ୍ଧ୍ୱ ମହିଳା, ଯୁବକ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା କଟକରୁ ପୁରୀ ଯାଇଥିଲେ। ବଡ଼ଦାଣ୍ଡସ୍ଥିତ ଅରୁଣସ୍ତମ୍ଭ ନିକଟରେ ସମୂହ ଭାବେ ୧୦୮ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦେଶର ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ଦୀପ ପ୍ରଜ୍ୱଳନ ସମୟରେ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ସମୂହ ଭାବେ ଦୀପଦାନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଶୁଭକାମନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା କଟକ ନଗର ବିଜେପିର ପୂର୍ବତନ ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ବିଜେପି ନେତା କବିନ୍ଦ୍ର ସାହୁ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ମାମିନା ମହାନ୍ତି, ନାରୀନେତ୍ରୀ ୱାଇ. ବୀଣା, ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା ପ୍ରିୟଙ୍କା ଦାସ, ବରିଷ୍ଠ ନେତ୍ରୀ ସୁରେଖା ସୁନ୍ଦରୀ ସ୍ୱାଇଁ ଏବଂ ବିଜେପି ନେତା କୀର୍ତ୍ତି ରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏଥିସହ ଶତାଧିକ ମହିଳା ଓ ଯୁବକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମୂହ ଦୀପଦାନରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା। ଶ୍ରୀକ୍ଷେତ୍ରରେ ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବହୁ ମହିଳା ଓ ଯୁବକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।


