ଓଡିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ବହି ଲୋକାର୍ପିତ

ଆସିକା (ୱାଇଏନ୍‍ଏସ୍‍): ଓଡିଆ ଭାଷାରେ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟ ପୁସ୍ତକକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୂତି ଭୂଷଣ ବେବର୍ତ୍ତାଙ୍କ ପରାମର୍ଶକ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଓଡିଆ ଭାଷାରେ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ବହିର ଲୋକାର୍ପଣ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ବିଭୁକଲ୍ୟାଣ ପଣ୍ଡା, ଅଧ୍ୟାପକ ସରୋଜ କୁମାର ପଣ୍ଡା, ଅଧ୍ୟାପକ ସାଲ୍‍ କୁମାର ସ୍ୱାମୀ, ଅଧ୍ୟାପକ ସାରଥୀ ଗମାଙ୍ଗୋ, ଅଧ୍ୟାପକ ରାଜେଶ୍‍ କୁମାର ସାହୁ, ଗ୍ରନ୍ଥାଗାରିକ ପିଙ୍କୁ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଜ୍ଞାନ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଲୋକାର୍ପିତ ହୋଇଥିବା ଓଡିଆ ଭାଷାରେ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ମାତୃଭାଷାରେ ଜ୍ଞାନ ଆହରଣ କରିବାରେ ବେଶ୍‍ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଓଡିଆ ଭାଷାରେ ପ୍ରଚାରିତ ଯୁକ୍ତ ଦୁଇ ବିଜ୍ଞାନ ବହି ଅଧ୍ୟୟନ କରି ବିଦ୍ୟାର୍ଥୀମାନେ ବିଭିନ୍ନ ବିଷୟବସ୍ତୁକୁ ସହଜରେ ବୁଝିବା ସହ ପରୀକ୍ଷାରେ ଆହୁରି ଉତ୍ତମ ଫଳ ପ୍ରଦର୍ଶନ କରିବାର ଯତେଷ୍ଟ ସମ୍ଭାବନା ରହିଛି । ବିଜ୍ଞାନ ଶିକ୍ଷା ବୈଷୟିକ ଶିକ୍ଷାର ମୂଳଦୁଆ ହୋଇଥିବାରୁ ସରକାରଙ୍କ ଏହି ମହତ୍‍ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ପାଇଁ ଏକ ମାଇଲ୍‍ଖୁଣ୍ଟ ସାବ୍ୟସ୍ତ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ପ୍ରୟାସରେ ଓଡିଆ ଭାଷାରେ ଏହି ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଚଳିତ ଶିକ୍ଷାବର୍ଷରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ବେଳେ ଓଡିଆ ଭାଷାରେ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ବହି ବିଦ୍ୟାର୍ଥୀଙ୍କ ପାଇଁ ବେଶ୍‍ ସହାୟକ ହୋଇପାରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ