ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବି
ବରୀ,(ଚୈତନ୍ୟ ଜେନା) : ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପ୍ରତ୍ୟାହାର ଦାବିରେ ଧାରଣାରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବସିଥିବା ଦେଖିବାକୁ ମିଳିଛି। ବରୀ ବ୍ଲକ ଅନ୍ତର୍ଗତ ଇସାଣପୁରସ୍ଥିତ ଇସାଣେଶ୍ୱରି ହାଇସ୍କୁଲର ସୁବୋଧ ପ୍ରଧାନଙ୍କର ଅନ୍ୟତ୍ର ବଦଳି ହୋଇଛି। ଏହି ଖବର ଶୁଣିବା ପରେ ଆଜି ସଂମ୍ପୃକ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାକ ଓ ପରିଚାଳନା କମିଟି ସଦସ୍ୟମାନେ ଆଜି ସ୍କୁଲ୍ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଇସାଣେଶ୍ୱରି ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ୨୭୦ ଜଣ ଛାତ୍ର ଛାତ୍ରୀ ପଢୁଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ଲଗାଇ ୧୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ପାଠ ପଢ଼ାଉଥିଲେ। ଏପରି କି ସଂମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ଥିବା ସମୟରେ ଏହି ସ୍କୁଲର ପରୀକ୍ଷା ଫଳ ଭଲ ହେବା ସହିତ ପିଲା ମାନଙ୍କୁ ନିଜ ପିଲାପରି ପଢ଼ାନ୍ତି ଏବଂ ଦାୟିତ୍ୱ ମଧ୍ଯ ନିଅନ୍ତି ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସୁବୋଧ ପ୍ରଧାନଙ୍କର ଶିକ୍ଷାଦାନ କ୍ଷେତ୍ରରେ ବିଦ୍ୟାଳୟ ପ୍ରତି ଅନେକ ଅବଦାନ ରହିଛି। ତେବେ ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ସଂମ୍ପୃକ୍ତ ବିଭାଗ ବାତିଲ୍ କରିବା ସହିତ ପୁନର୍ବାର ଏହି ସ୍କୁଲରେ ରହିବା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି କରିଛନ୍ତି। ଛାତ୍ର, ଛାତ୍ରୀ ମାନଙ୍କ ଦାବି ପ୍ରତି ଶିକ୍ଷା ଅଧିକାରି ନଜର ନ ଦେଲେ ଆଗାମୀ ଦିନରେ ବରୀ ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରିବେ ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି। ଶୁକ୍ରବାର ଦିନ ଛାତ୍ର,ଛାତ୍ରୀ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ହେଁ ଉଭୟ କୌଣସି ପ୍ରତିଶ୍ରୁତି ଦେବାକୁ ମନା କରିଛନ୍ତି।


