ବିଶ୍ୱ ସାଇକେଲ ଦିବସ ପାଳନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତ ଠାରେ ମା” ଜାଗୁଳେଇ ଯୁବକ ସଂଘ ତରଫରୁ ବିଶ୍ୱ ସାଇକେଲ ଦିବସ ମହା ସମାରୋହରେ ପାଳିତ ହୋଇଥିବା ବେଳେ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ସଂଘର ସମ୍ପାଦିକା ସୁକାନ୍ତି ସାହୁଙ୍କ ନେତୃତ୍ୱରେ ପ୍ରଥମେ ଯୁବକ ଓ ଯୁବତୀ ମାନଙ୍କ ଦ୍ୱାରା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପରେ ବିଭିନ୍ନ କ୍ଷେତ୍ରରେ ତଥା ସାଧାରଣ ଜ୍ଞାନ ଏବଂ ସ୍ଲୋ-ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସ୍ଲୋ ସାଇକେଲରେ ସଞ୍ଜୟ କୁମାର ସାହୁ ପ୍ରଥମ, ଶୁଭମଜ୍ୟୋତି ରାଉତ ଦ୍ୱିତୀୟ ଏବଂ ପ୍ରକାଶ ମଳିକ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ସାଧାରଣ ଜ୍ଞାନରେ ପ୍ରିୟଙ୍କା ଶିଅଳ ପ୍ରଥମ ଶୁଭସ୍ମିତା ସୂତାର ଦ୍ୱିତୀୟ ଏବଂ ସୋମ୍ୟାଶାଶ୍ଵତି ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମ୍ପାଦିକା ସୁକାନ୍ତି ସାହୁଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୋଚିଂ ସେଣ୍ଟରର ମୁଖ୍ୟ ଲକ୍ଷ୍ମଣ କୁମାର ସାହୁ,ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରତିକ୍ଷା ସାହୁ ଏବଂ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ହିମାଂଶୁ ଚରଣ ବେହେରା ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ସାଇକେଲ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ପୁରସ୍କାର କରାଯାଇଥିଲା। ସଂଘର ସଦସ୍ୟ ଆଦିତ୍ୟ ମହାପାତ୍ର,ଗଣେଶ ସାହୁ,ଓମପ୍ରକାଶ ସାହୁ,ବାଦଲ ବସନ୍ତିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


