ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ମାମଲା: ଘଟଣାର ବିଧିବଦ୍ଧ ତଦନ୍ତ ଓ ପରିବାରକୁ କ୍ଷତିପୁରଣ ଦାବି କଲା ଆପ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସିଡି ରେଲିଂରେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ବିଧିବଦ୍ଧ ତଦନ୍ତ ଓ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ତଥା ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ ଦାବି କରିଛନ୍ତି। ଆପ ସଭାପତି ଶ୍ରୀ ଦାସ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ଆଜି ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ଶ୍ରୀ ଦାସ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଡେରାବିଶ ବ୍ଲକ ଅଧିନ ରାଇତୁଣ୍ଡି ଗ୍ରାମର ଶ୍ରୀଚନ୍ଦନ ଦାସ ନାମକ ଯୁବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଛନ୍ତି ଯାହା ପୂରା ରାଜ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଯୁବକ ଜଣକ ଅନୁସୂଚିତ ଜାତିର ହୋଇଥିବାରୁ ତାଙ୍କର ପୈତୃକ ଜମି ବିକ୍ରିର ଅନୁମତି ନିମନ୍ତେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡୁଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ତାଙ୍କ ଠାରୁ କାମ ବଦଳରେ ଉତ୍କୋଚ ଦାବି କରୁଥିଲେ। ଉତ୍କୋଚ ଦେବାର ସାମର୍ଥ୍ୟ ଶ୍ରୀଚନ୍ଦନଙ୍କର ନ ଥିବାରୁ ତାଙ୍କ ଜମି ବିକ୍ରି ପାଇଁ ଅନୁମତି ଗୃହୀତ ହୋଇପାରିନଥିଲା। ସେ ଏଥି ନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଗତକାଲି ଶ୍ରୀଚନ୍ଦନଙ୍କ ଦୁଃଖଦ ମୃତ୍ୟୁ ଘଟଣା ସମସ୍ତଙ୍କୁ ମ୍ରିୟମାଣ କରିଦେଇଛି। ଏତେ ସୁରକ୍ଷା ବଳୟ ଭିତରେ ଯୁବକ ଜଣକ ଆତ୍ମହତ୍ୟା କରିବା ନିଶ୍ଚୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ସହ ମୃତକଙ୍କ ପରିବାରକୁ ଆର୍ôଥକ ସହାୟତା ପ୍ରଦାନ କରାଯିବାକୁ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଂଗଠନ ସମ୍ପାଦକ ତଥା ଜିଲ୍ଲା ସଭାପତି ଶ୍ରୀ ଦାସ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ