ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ସଚେତନତା ଶିବିର
କଟକ (ଓ୍ବାଇଏନଏସ): ଅଲୌକିକ ଆଚରଣ ସନ୍ଦେହରେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ନିର୍ଯାତନା ଏବଂ ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ ଆଜି ଟାଙ୍ଗୀ- ଚୌଦ୍ଵାର ବ୍ଳକର ମଙ୍ଗରାଜପୁର ଗ୍ରାମରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଗ୍ରାମବାସୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଯୁବକ ଓ ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଗ୍ରାମାଞ୍ଚଳ ପୁଲିସ , ଶ୍ରୀମତୀ ମିନାକ୍ଷୀ ଠାକୁର ଯୋଗଦେଇ ଓଡିଶା ଡାହାଣୀ ଶିକାର ନିରାକରଣ ଆଇନ ୨୦୧୩ ସମ୍ପର୍କରେ ଆଲୋଚନା କରିବା ସହ ଅଲୌକିକ ଆଚରଣ ସନ୍ଦେହରେ କାହାକୁ ନିର୍ଯାତନା ଦେବା, ସାମାଜିକ ବାସନ୍ଦ କରିବା କିମ୍ବା ହିଂସାତ୍ମକ ବ୍ୟବହାର କରିବା ଆଇନଗତ ଅପରାଧ ବୋଲି କହିଥିଲେ। କୌଣସି ଅନୈତିକ କିମ୍ବା ଅପରାଧିକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସ କିମ୍ବା ପ୍ରଶାସନକୁ ଅବଗତ କରିବାକୁ ସେ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ଧବିଶ୍ୱାସ ଏବଂ ସନ୍ଦେହ ସମାଜରେ ଭୟ ଓ ଅଶାନ୍ତି ସୃଷ୍ଟି କରିଥାଏ । ଏହା ଫଳରେ ଅନେକ ନିର୍ଦ୍ଦୋଷ ମହିଳା ଓ ବ୍ୟକ୍ତି ନିର୍ଯାତନାର ଶିକାର ହୋଇଥାନ୍ତି । ଏସବୁ ଭ୍ରାନ୍ତ ଧାରଣା ଏବଂ ବହୁଚରିତ୍ର ସ୍ଵଭାବ ଭଳି ଏକ ମାନସିକ ରୋଗ। ଏହାର ନିରାକରଣ ପାଇଁ ଗୁଣିଆ ପାଖକୁ ନଯାଇ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାକୁ କର୍ମଶାଳାରେ ଯୋଗଦେଇ ବିଷୟ ବିଶେଷଜ୍ଞ ଶ୍ରୀଯୁକ୍ତ ଦେବେନ୍ଦ୍ର ସୁତାର ପରାମର୍ଶ ଦେଇଥିଲେ । ଏଥିସହ ସହ ବିଭିନ୍ନ ଅଞ୍ଚଳରେ ଘଟିଥିବା ଅନ୍ଧବିଶ୍ଵାସ ଘଟଣା ସମ୍ପର୍କରେ ନିଜର ଅଭିଜ୍ଞତା ବ୍ୟାଖା କରିଥିଲେ । ଏହି ଅବସରରେ ମଙ୍ଗରାଜପୁର ପଞ୍ଚାୟତ,ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ପାଣ୍ଡବ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୌଦାମିନୀ ପଣ୍ଡା , ଆୟୁଷ ମେଡିକାଲ ଅଫିସର ଡ. ନିର୍ମଳ ଚନ୍ଦ୍ର ସାହୁଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ସଭା ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲୀ କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।


