ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବନ୍ତ ଶିକ୍ଷା ମଣ୍ଡଳ ଓ ଓଏସଏସଏଏଟି ଭୁବନେଶ୍ୱର ପକ୍ଷରୁ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କୀତ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୨ ଗୋଟି ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ଜନଶୁଣାଣୀ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଓ ଶ୍ରେଣୀ ଗୃହର ଅଭାବ, ଶୌଚାଳୟ, ରୋଷେଇ ଗୃହ ଓ ଜଳ ସମସ୍ୟା, ବଗିଚା, ଷ୍ଟାଇପେଣ୍ଡ, ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ, ପାଣ୍ଠି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ଏହାର ସମାଧାନ କିପରି ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ସ୍ୱଚ୍ଛତା, ସୁରକ୍ଷା, ଖାଦ୍ୟର ଗୁଣବତ୍ତା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିବା ଶିଆଳିଆ ନୋଡାଲ ହାଇସ୍କୁଲ, ଆନନ୍ଦରାମ ପାଟୋଡିଆ ସରକାରୀ ହାଇସ୍କୁଲ, ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିର, ସତ୍ୟ ନାରାୟଣ ନୋଡାଲ ହାଇସ୍କୁଲ, ଯୁଧିଷ୍ଠିର ସରକାରୀ ଉପ୍ରା ବିଦ୍ୟାଳୟ, କାଣ୍ଡବା ନୋଡାଲ ଉପ୍ରା ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା । ଶିବିରରେ ଏବିଇଓ ହରେକୃଷ୍ଣ ଆପଟ୍ଟ, ଜିଲା ସାମାଜିକ ସମୀକ୍ଷକ ସତ୍ୟଜିତ୍ ପୃଷ୍ଟି, ବ୍ଳକ ସାମାଜିକ ସମୀକ୍ଷକ ସୁରେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି, ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ଅଭିଭାବକ ମାନେ ଯୋଗ ଦେଇଥିଲେ । ଶିବିର ପରିଚାଳନାରେ ଅଶୋକ କୁମାର ଦାସ, ଗିରିଜା ଶଙ୍କର ଲେଙ୍କା, ଉତ୍ତମ ଦାସ, ନିରଞ୍ଜନ ଖିଲାର, ରାଜେନ୍ଦ୍ର ପାତ୍ର, ପରମେଶ୍ୱର ପୃଷ୍ଟି, ପ୍ରଫୁଲ୍ଲ କୁମାର ଦାସ, ସନ୍ତୋଷ କୁମାର ମଲ୍ଲିକ, ଶୁଭ୍ରପ୍ରକାଶ ରାଉଳ, ସୁଧାଂଶୁ ଶେଖର ଦାସ, ଗୌତମ ଭୂୟାଁ, ପ୍ରଫୁଲ୍ଲ ସାହୁ, ଅକ୍ଷୟ ସାହୁ, ଜଗନ୍ନାଥ ଖୁଣ୍ଟିଆଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


