କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ
ହାଟଡିହି (ଓ୍ବାଇଏନଏସ): ଆସ୍ପାୟର ତରଫରୁ ଗ୍ରୀଷ୍ମ କାଳୀନ ଶିବିର ମାଧ୍ୟମରେ ଏକ କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଆମ୍ବୋ ଗ୍ରାମ ପଞ୍ଚାୟତ ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଣତିରା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟଡିହି ବ୍ଲକ୍ ଅଧିନସ୍ଥ ବଞ୍ଚୋ, ପଞ୍ଚୁଗୋଛିଆ, ସୁଲଣ, ଆମ୍ବୋ , ସମଣା, ବଡରମ୍ପାସ ଆଦି ୬ ଟି ପଞ୍ଚାୟତରୁ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ। ଏହି ମେଳାରେ ଆମ୍ବୋ ସିଆରସିସି ଆର୍ତ୍ତତ୍ରାଣ ଜେନା, ସମଣା ସିଆରସିସି ବିନୟ କୁମାର ଜେନା, ଆମ୍ବୋ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତିନିଧି ସୁବ୍ରତ ମହାପାତ୍ର, ଅଣତିରା ଅଙ୍ଗନୱାଡି କର୍ମୀ କନକଲତା ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଅର୍ଜୁନ ମଣ୍ଡଳ, ବ୍ଲକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧୀରେନ୍ଦ୍ର ନାଥ ଖଟୁଆ ପ୍ରମୁଖ ଯୋଗଦେଇ “ଛୋଟ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ମେଳା ପିଲାମାନଙ୍କୁ ନୂଆ ଜିନିଷ ଶିଖିବା ଏବଂ ନିଜର ଭାବନାକୁ ଉଦ୍ଭାବନୀ ଶକ୍ତିରେ ପରିଣତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅଣତିରା ତଥା ଏହାର ଆଖପାଖ ଅଞ୍ଚଳରୁ ଅନେକ ଅଭିଭାବକ, ଯୁବକ ଯୁବତୀ ମାନେ ଆସି ଛାତ୍ର ଛାତ୍ରୀଙ୍କ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଦେଖିବା ସହ ଏହା ଗ୍ରାମାଞ୍ଚଳ ପାଇଁ ଏକ ହିତୋପକରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଶ ପ୍ରଦୂଷଣ ଓ ନିରାକରଣ, ପ୍ରାକୃତିକ ଶିତଳକ, ସୌରମଣ୍ଡଳ, ଯାନ୍ତ୍ରିକ ଶକ୍ତି ରୁ ବିଦ୍ୟୁତ୍ ଶକ୍ତି, ଉଦ୍ଭିଦ ର ଜୀବନ ଚକ୍ର, ପେଣ୍ଡୁଲମ୍, ବର୍ଷା ଜଳ ସଂରକ୍ଷଣ ଓ ପୁନଃ ବ୍ୟବହାର, ବର୍ଜ୍ୟବସ୍ତୁ ର ପୁନଃ ବ୍ୟବହାର, ଅଙ୍କୁରୋଦ୍ଗମ, ଜଳଚକ୍ର ଭଳି ଅନେକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବଞ୍ଚୋ କ୍ଲଷ୍ଟର ସି.ଏଫ୍ ଆଦିତ୍ୟ ରଞ୍ଜନ ପଟ୍ଟନାୟକ, ଏଲ.ଏଫ୍ ମମତା ରାଉତ ସଂଯୋଜନା କରିଥିବା ବେଳେ ଆସ୍ପାୟର ବଞ୍ଚୋ କ୍ଲଷ୍ଟର ର ସମସ୍ତ କର୍ମଚାରୀ ସୁପରିଚାଳନା କରିଥିଲେ। ପଞ୍ଚାୟତର ଆମ୍ବୋ ଜିପିସିଏମ୍ ଜ୍ୟୋତିପ୍ରକାଶ ମହାପାତ୍ର, ବଞ୍ଚୋ ଜିପିସିଏମ୍ ସୁନୀଲ କୁମାର ବରାଳ , ସନ୍ତୋଷ କୁମାର ଜେନା, ରଞ୍ଜନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପଞ୍ଚାୟତର ଏଲ.ଇ.ପି ଶିକ୍ଷକ/ଶିକ୍ଷୟିତ୍ରୀ ଜଗବନ୍ଧୁ ମାଝୀ, କୁନ୍ତଳା କୁମାରୀ ଜେନା, ମହିମାମୟୀ ନାୟକ, ସୁନୀତା ଦାସ, ମାନସ ରଞ୍ଜନ ଆୟଚ, ବିକାଶ କୁମାର ନାୟକ, ତଥା ଗୋଷ୍ଠୀ ଶିକ୍ଷା ସଂଯୋଜକ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ।


