ସହି ହେଉନି ରୌଦ୍ରତାପ: ରାତି ପାହିଲେ ଖୋଜାପଡୁଛି ଏସି ମେକାନିକ୍
ଆସିକା (ୱାଇଏନ୍ଏସ୍) :ଗତ କିଛି ଦିନ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପରେ ସନ୍ତୁଳି ହେଉଛି ଜନଜୀବନ । ସକାଳ ୯ଟା ପର ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହୁଛି । ଦିନ ୧୧ଟା ପରେ ସାଧାରଣ ଜନତା ଘରୁ ବାହାରକୁ ବାହାରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଗୁଳୁଗୁଳି ପିଲାଠୁ ଆରମ୍ଭ କରି ବୟସ୍କଙ୍କୁ ଅଥୟ କରୁଛି । ପଙ୍ଖା ପବନ ବି ପ୍ରଚଣ୍ଡ ରୌଦ୍ରତାପରେ ସଠିକ୍ ଭାବେ କାମ କରୁନାହିଁ । ଗରମର ମୁକାବିଲା କରିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ସ୍ୱଚ୍ଛଳ ବର୍ଗର ଜନତା ନିଜ ଘରେ ବିଭିନ୍ନ କମ୍ପାନୀର ଏୟାର୍ କଣ୍ଡିସନର୍ (ଏସି) ଲଗାଇଥିବା ଦେଖିବାକୁ ମିଳୁଛି । ଦିନରାତି ପ୍ରାୟତଃ ବହୁ ବ୍ୟକ୍ତି ଶୀତତାପ ନିୟନ୍ତ୍ରିତ କକ୍ଷରେ କଟାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟ ପଟେ ପ୍ରଚଣ୍ଡ ରୌଦ୍ରତାପରେ ଏସି ମରାମତିର ମଧ୍ୟ ଆବଶ୍ୟକତା ପଡୁଛି । ଏପରି ପରିସ୍ଥିତିରେ ଆବଶ୍ୟକତା ସମୟରେ ବହୁ ଗ୍ରାହକଙ୍କୁ ଖୋଜାପଡୁଛି ଏସି ମେକାନିକ୍ । ତେବେ ଆସିକା ଅଞ୍ଚଳରେ ସ୍ୱଳ୍ପ ସଂଖ୍ୟକ ଏସି ମେକାନିକ୍ ଥିବାରୁ ସେମାନଙ୍କ ଚାହିଦା ମଧ୍ୟ ସାଂପ୍ରତିକ ପରିସ୍ଥିତିରେ ଅଧିକ ଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଥିବା ଏସି ବିକ୍ରୟ କେନ୍ଦ୍ର ଗୁଡିକରେ ବିଭିନ୍ନ କମ୍ପାନୀ ପକ୍ଷରୁ ନାନା ପ୍ରକାର ସୁବିଧା ସୁଯୋଗ ଦିଆଯାଇ ନୁଆଁ ଏସି ନିମିଷକ ମଧ୍ୟରେ ଇନ୍ଷ୍ଟଲ୍ କରାଯାଉଛି । କିନ୍ତୁ ପୁରୁଣା ଏସି ମରାମତି ପାଇଁ ମେକାନିକ୍ ମାନଙ୍କୁ ଫୋନ୍ କରି ଗ୍ରାହକ ଦିନ ଦିନ ଧରି ଅପେକ୍ଷା କରିବସିଥିବା ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଏସି ସଂଖ୍ୟା ଆଶାତୀତ ଭାବେ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ତା ତୁଳନାରେ ମେକାନିକ୍ ନଥିବା ଯୋଗୁଁ ସମସ୍ୟା ଦେଖାଦେଉଛି । ରାତି ପାହିବା ମାତ୍ରେ ଏସି ମେକାନିକ୍ ପାଖକୁ ମରାମତି ପାଇଁ ଏକାଧିକ କଲ୍ ଯାଉଛି ଓ ବହୁ ଗ୍ରାହକ ନିବେଦନ କରି କହୁଛନ୍ତି ଟିକିଏ ଶୀଘ୍ର ଆସି ଅଚଳ ଏସିକୁ ସଜାଡି ଦେବାକୁ । ଏସି ମେକାନିକ୍ ମାନେ ମଧ୍ୟ ଗୋଟିଏ ଘର କାମ ସାରି ଅନ୍ୟ ଘରକୁ ଯାଇ କାମ କରି ଆସୁଥିବା ବେଳେ ସେମାନଙ୍କ ଫୋନ୍କୁ ମଧ୍ୟ କଥା ହେବା ପାଇଁ ଫୁରସତ୍ କିମ୍ବା ବିଶ୍ରାମ ନଥିବା ଦେଖିବାକୁ ମିଳୁଛି । ଆସିକା ସହରର କଳିଙ୍ଗ ରୋଡ ସ୍ଥିତ ଗୋବିନ୍ଦ ସର୍ଭିସ୍ ପଏଣ୍ଟ୍ର ମାଲିକ ତଥା ଜଣାଶୁଣା ବରିଷ୍ଠ ଓ ଅଭିଜ୍ଞ ଏସି ମେକାନିକ୍ ବିଜୟ ରାଉତ କହିଛନ୍ତି ଯେ ସେ ଗତ ୨୦୦୦ ମସିହାରୁ ଏସି କାମ କରିଆସୁଛନ୍ତି । ବିଗତ କିଛି ଦିନ ହେଲା ନିଜ ପୁତ୍ର ଆଦିତ୍ୟ ରାଉତଙ୍କୁ ସାଙ୍ଗରେ ଧରି ଏସି ଅଚଳ ସଂକ୍ରାନ୍ତରେ ଖବର ପାଇବା ମାତ୍ରେ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଆଗ୍ରହ ସହକାରେ ବିଭିନ୍ନ ଅଞ୍ଚଳକୁ ଗସ୍ତକରି ଦୈନିକ ୪ ରୁ ୫ଟି ଏସି ସଜାଡୁଥିବା ଜଣାପଡିଛି । ମାର୍ଚ୍ଚ ପହିଲାରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଏସି ମରାମତି ପାଇଁ ମୋତେ ବିଶ୍ରାମ ନଥିବା ବେଳେ ଅନ୍ୟ ଦିନରେ ୱାସିଂ ମେସିନ୍ ଠାରୁ ଆରମ୍ଭ କରି ରେଫ୍ରିଜେରେଟର୍ ଆଦି ମରାମତି କରି ଦୁଃଖସୁଖରେ ପରିବାର ପ୍ରତିପୋଷଣ କରିଆସୁଛି ବୋଲି ବରିଷ୍ଠ ଏସି ମେକାନିକ୍ ବିଜୟ ରାଉତ ସୂଚନା ଦେଇ କହିଛନ୍ତି ଯେ ଖରାଦିନ ପୂର୍ବରୁ ଏସି ସର୍ଭିଂର ଆବଶ୍ୟକତା ଅତି ଜରୁରୀ ଥିଲା ବେଳେ ନିିୟମିତ ଏସିର ଡଷ୍ଟ ଫିଲ୍ଟର ସଫା କରିବା ସାଙ୍ଗକୁ ଶୀତ ଦିନରେ ମାସକୁ ଅନ୍ତତଃ ଦୁଇ ଦିନ ଏସି ମେସିନ୍ ଚଳାଇବା ସାଙ୍ଗକୁ ଅନ୍ୟ ଦିନରେ ଏସିକୁ ସ୍ୱତନ୍ତ୍ର କଭର୍ରେ ଘୋଡାଇ କରିରଖିଲେ ଏସି କମ୍ ଖରାପ ହେବ ଏବଂ ମରାମତି ମାଗିବ ନାହିଁ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ରାତି ପାହିବା ମାତ୍ରେ ଅଚଳ ଏସିକୁ ମରାମତି ଠାରୁ ଆରମ୍ଭ କରି ନୂତନ ଏସିକୁ ଘରେ ଇନ୍ଷ୍ଟଲ୍ କରିବା ପାଇଁ ମେକାନିକଲ୍ ମାନଙ୍କୁ ଖୋଜା ପଡୁଥିବା ଦେଖିବାକୁ ମିଳୁଛି


