ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଦୁଇ ପ୍ରକଳ୍ପ ଅଗ୍ରଗତିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଆଇନ ମନ୍ତ୍ରୀ

ଛତ୍ରପୁର, ( ପ୍ରଶାନ୍ତ କୁମାର ମହାରଣା ) :  ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂସାରୀ ଗଣ୍ଡ ଓ ଗଙ୍ଗାପୁର ସ୍ଥିତ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ଋଷିକୁଲ୍ୟା ନଦୀ ଉପରେ କଂସାରୀଗଣ୍ଡ ବ୍ୟାରେଜ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଭିତ୍ତିଭୂମି ତଦାରଖ କରିଛନ୍ତି । ଏହି ପ୍ରକଳ୍ପଟି  ୧୮ ଅକ୍ଟୋବର ୨୦୨୨ ଆରମ୍ଭ ହୋଇଥିଲା ମାତ୍ର ୨୦୨୫ ମସିହା ଅକ୍ଟୋବର ମାସ ୧୭ ତାରିଖ ରେ ଶେଷ ହେବା ର ଥିଲା l ତେବେ ଏହାର ସମୟ ସୀମା ବୃଦ୍ଧି କରାଯାଇ ୨୦୨୭ ମସିହା ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହାକୁ ନିର୍ଦ୍ଧାରିତ ସମୟସୀମା ତଥା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୫୨.୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହେଲେ ୨ ଟି ସହରାଞ୍ଜଳ ସମେତ ୧୬ ଟି ଗ୍ରାମର  ୧ ଲକ୍ଷ ୫୨ ହଜାର ୬୦୦ ଜନସାଧାରଣ ଉପକୃତ ହୋଇପାରିବେ । ପ୍ରାୟ ୨୦୪ ମିଟର ଦୈର୍ଘ୍ୟ ଯାଗାରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଉଭୟ ଛତ୍ରପୁର ଓ ଗଞ୍ଜାମ ବ୍ଲକରେ ପାନୀୟ ଜଳ ଯୋଗାଣ ସାଙ୍ଗକୁ ଜଳସେଚନ ଆଦି କ୍ଷେତ୍ରରେ ମଧ୍ୟ ସୁବିଧା ହୋଇପାରିବ । ଏଣୁ ଏହି ପ୍ରକଳ୍ପ ଉପଯୋଗୀ ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ । ସେହିପରି ଛତ୍ରପୁର ବ୍ଲକର ପୋଟ୍ଟଲାମପୁର ପଂଚାୟତ ଅନ୍ତର୍ଗତ ଗଙ୍ଗାପୁର ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକୁ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଛତ୍ରପୁର ବ୍ଲକର ସମସ୍ତ ପଂଚାୟତ ଓ ଗଞ୍ଜାମ ବ୍ଲକର ୨ ଟି ପଂଚାୟତ, ରଙ୍ଗେଇଲୁଣ୍ଡା ବ୍ଲକର ୩୧ଟି ପଂଚାୟତ ର ମୋଟ ୧୫୫ ଟି ଗ୍ରାମର ୩ ଲକ୍ଷ ୪୨ ହଜାର ୪୨୧ ଜନସାଧାରଣ ଉପକୃତ ହୋଇପାରିବେ । ଏହି ପ୍ରକଳ୍ପଟି ୨୦୨୧ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟ ଏବେ ସୁଦ୍ଧା ଶେଷ ହୋଇପାରିନାହିଁ । ବହୁ ବିଳମ୍ବ ଘଟିଛି । ଏବେ ନୂତନ ସରକାର ଆସିବା ପରେ ଏହାର ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଉଛି । ଏହି ପ୍ରକଳ୍ପ କୁ ଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏହି ସମୀକ୍ଷା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‌, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ ଓ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନୀ ଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ