ସାମାନ୍ୟ ବର୍ଷାରେ ଆସିକା ବିନାୟକ ବଜାରରେ କୃତ୍ରିିମ ବନ୍ୟା
ଆସିକା (ୱାଇଏନ୍ଏସ୍): ପ୍ରାକ୍ ମୌସୁମୀ ବର୍ଷାର ପ୍ରଭାବରେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଚାଷୀକୂଳ ବିଭୋର ହୋଇ ଉଠିଥିଲା ବେଳେ ଜଳ ନିଷ୍କାସନ ପଥ କେତେକ ସ୍ଥାନରେ ଅବରୋଧ ଯୋଗୁଁ ଆସିକା ସହରର ବ୍ୟସ୍ତବହୁଳ ତଥା ସଦାସର୍ବଦା ଜନଗହଳିପୂର୍ଣ୍ଣ ୧୩ନଂ ୱାର୍ଡର ବିନାୟକ ବଜାର ମୁଖ୍ୟରାସ୍ତାରେ ଶନିବାର ଅପରାହ୍ନରେ ସାମାନ୍ୟ ବର୍ଷାରେ କିଛି ସମୟ ଲାଗି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଅସରାଏ ବର୍ଷାରେ ବର୍ଷାଜଳ ଦୀର୍ଘ ସମୟ ଧରି ନିଷ୍କାସନ ହୋଇନପାରି ବିନାୟକବଜାରର ମୁଖ୍ୟ ରାସ୍ତାରେ ଲଉଡି ମାରୁଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟା ସୃଷ୍ଟି ହୋଇଥିଲା । ଆସିକା ସହରର ବିନାୟକ ବଜାର ମୁଖ୍ୟରାସ୍ତା ଏକ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ରୂପେ ପରିଚିତ ରହିଛି । ଉକ୍ତ ରାସ୍ତା ଉପରେ ଦୈନିକ ଶହ ଶହ ଜନତା ଯାତାୟତ କରୁଥିବା ବେଳେ ସଂଖ୍ୟାଧିକ ଗାଡିମୋଟର ଚଳାଚଳ କରିଥାଏ । ତେବେ ଉକ୍ତ ବ୍ୟସ୍ତବହୁଳ ବିନାୟକ ବଜାର ମୁଖ୍ୟରାସ୍ତାରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ଶନିବାର ଅପରାହ୍ନରେ ହୋଇଥିବା ସାମାନ୍ୟ ବର୍ଷାରେ ଉଦ୍ବୃତ୍ତ ବର୍ଷାଜଳ ସଠିକ୍ ସମୟରେ ନିଷ୍କାସିତ ହୋଇନପାରି ଘଣ୍ଟାଘଣ୍ଟା ଧରି ମୁଖ୍ୟରାସ୍ତାରେ ଲଉଡି ମାରିଥିବା ବେଳେ ସାଧାରଣ ଜନତାଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଗତ କିଛି ଦିନ ଧରି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରଚଣ୍ଡ ତାତି ଅନୁଭୁତ ହେଉଥିଲା। ଅସହ୍ୟ ରୌଦ୍ର ତାପରେ ଲୋକେ ଡହଳ ବିକଳ ହେଉଥିଲା ବେଳେ ଶନିବାର ଅପରାହ୍ନରେ ହଠାତ୍ ପାଗ ବଦଳିବା ସହ ଦୀର୍ଘ ସମୟ ଧରି ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ହେବା ଫଳରେ ପ୍ରବଳ ତାତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖିବାକୁ ମିଳିଛି । ପ୍ରାକ୍ ମୌସୁମୀ ବର୍ଷା ଯୋଗୁଁ ଆସିକା ଅଞ୍ଚଳବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ କିଛିଟା ନିସ୍ତାର ମିଳିଥିବା ଲକ୍ଷ୍ୟ କରାଯାଇଛି। ଗ୍ରୀଷ୍ମତାପ-କାଳବୈଶାଖୀର ଲୁଚକାଳି ଖେଳ ଯୋଗୁଁ ଶନିବାର ଅପରାହ୍ନରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି । ଦିନର ୪୦ ଡିଗ୍ରୀ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସାଧାରଣ ଜନତା ଅତିଷ୍ଟ ହୋଇପଡିଥିଲା ବେଳେ ଅପରାହ୍ନର ବର୍ଷା ଜନସାଧାରଣଙ୍କୁ ଗ୍ରୀଷ୍ମତାତିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସହରର ବ୍ୟସ୍ତବହୁଳ ବିନାୟକ ବଜାର ଅଞ୍ଚଳରେ ଲାଗି ରହିଥିବା ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


