ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ବରେ ଚଳିତ ବର୍ଷର ଦଶମ ଓ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ପାଇଁ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ,କେନ୍ଦ୍ର ପରିଷଦ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ ସାମନ୍ତ ଦିଲ୍ଲୀ ରଣସିଂହ ସାମନ୍ତଙ୍କ ପୌରିହିତ୍ୟରେ ତଥା ସଭାପତି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉମାକାନ୍ତ ନାହାକ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ ବ୍ୟକ୍ତିତ୍ୱ ଗଦେଇ ଜେନା ବିଭୁ ପ୍ରାର୍ଥନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଉପସ୍ଥିତ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ କାଳଞ୍ଜି ସମାଜ ପାଇଁ ସେମାନେ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କଇଣ୍ଡି, ବେତାରସିଂ,ଆସିକା,ବନ୍ଥପଲ୍ଲୀ,ଆଠଗଡ଼, ଧରାକୋଟ , ଖେମୁଣ୍ଡି, ସିଦ୍ଧେଶ୍ୱର ଏବଂ ସୋରଡ଼ା ଅଞ୍ଚଳରୁ ୩୧୦ ଜଣ ଛାତ୍ରଛାତ୍ରୀ ଏବଂ ୫୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇଥିବାରୁ ବିଧାୟକ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ ଯଦି ସମାଜ ପକ୍ଷରୁ ଜମି ଯୋଗାଇ ଦିଆଯାଏ ତେବେ କାର୍ଯ୍ୟକ୍ରମରେ ଉପସ୍ଥିତ ଦୁଇ ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ମିଳିତ ସହଯୋଗରେ କାଳଞ୍ଜି ସମାଜ ପାଇଁ ଏକ ସଭା ଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ଆମ ‘ଉଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ’ର ଇତିହାସ କେବଳ ସଂଘର୍ଷର ଇତିହାସ ନୁହେଁ ବରଂ ଏହା ବୀରତ୍ୱ, ସ୍ୱାଭିମାନ, କୃଷି ଏବଂ ଓଡ଼ିଶାର ମାଟି-ମାତୃକାର ସେବା ସହ ଜଡ଼ିତ ଏକ ଗୌରବମୟ ଇତିହାସ ବୋଲି ପ୍ରକାଶ କରିଥିଲେ ବିଷୋୟୀ। ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନୂତନ ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ଆଲୋଚନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନସେଲିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ଚଳିତ ବର୍ଷ ଯୁକ୍ତ ଦୁଇ ଶ୍ରେଣୀରେ ଶତକଡା ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଛାତ୍ରଛାତ୍ରୀ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡା ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଛାତ୍ରଛାତ୍ରୀଙ୍କୁ ଉପଢୌକନ,ମାନପତ୍ର ଏବଂ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିବା ବେଳେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା। ସେହିପରି ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଗତ ସୁବାସ ଚନ୍ଦ୍ର ସ୍ୱାଇଁ ସ୍ମୃତି ସମ୍ମାନ, ସ୍ୱର୍ଗତ ଶ୍ୟାମସୁନ୍ଦର ସ୍ୱାଇଁ ସ୍ମୃତି ସମ୍ମାନ ସହ ବୈଜ୍ଞାନିକ ଡ଼. ହରେକୃଷ୍ଣ ବିଷୋୟୀ, ଆଦିତ୍ୟ ରଞ୍ଜନ ଜେନା ଓ ମୁଖ୍ୟ ସଂଗଠକ ସତ୍ୟନାରାୟଣ ସ୍ୱାଇଁଙ୍କ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମକୁ ସଭାପତି ଜେନା ପରିଚାଳନା କରିବାପରେ ମୁଖ୍ୟ ସଂଗଠକ ସ୍ୱାଇଁ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ,କେନ୍ଦ୍ର ପରିଷଦ ଉପସଭାପତି ବୃନ୍ଦାବନ ଖଟାଇ,ସମ୍ପାଦକ ନୀଳାଞ୍ଚଳ ପୋଲାଇ,ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ,ମୁଖ୍ୟ ସଂଗଠକ ସତ୍ୟ ନାରାୟଣ ସ୍ୱାଇଁ ,ସଭ୍ୟ ଜଗବନ୍ଧୁ ଜେନା,ପ୍ରଫୁଲ୍ଲ ମଳିକ,ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ପାଦକ ନୀଳାଞ୍ଚଳ ପୋଲାଇ ଧନ୍ୟବାଦ ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ