ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଂଘର ବିଶାଳ ଶୋଭାଯାତ୍ରା

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ଗ୍ରାମର ସଦର ଆମ୍ବତୋଟା ଠାରେ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିସାନ ସଂଘ ପକ୍ଷରୁ ଶୁକ୍ରବାର ଏକ ବିଶାଳ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାରରୁ ଅଧିକ ଆଦିବାସୀ, ଦଳିତ ଓ କୃଷକ-ଶ୍ରମିକ ଯୋଗଦେଇ ନିଜ ଦାବି ଉପସ୍ଥାପନ କରିଥିଲେ।
ରାଲିର ମୁଖ୍ୟ ଦାବି ଥିଲା ଜଙ୍ଗଲ ଜମି ଉପରେ ବର୍ଷ ବର୍ଷ ଧରି ଚାଷ କରୁଥିବା ଆଦିବାସୀ ପରିବାରମାନଙ୍କୁ ବନାଧିକାର ଆଇନ ଅନୁଯାୟୀ ଜମିର ଅଧିକାର ପ୍ରଦାନ କରାଯାଉ। ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଆଦିବାସୀମାନେ ଚାଷ କରୁଥିବା ଜମିରେ ସରକାରୀ ଭାବେ ଚାରାରୋପଣ କରାଯାଉଥିବାରୁ ସେମାନଙ୍କ ଜୀବିକା ପ୍ରଭାବିତ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ଅନେକ ପରିବାର ଘରବାରି ପଟ୍ଟା ପାଇନଥିବା ମଧ୍ୟ ସେମାନେ ଉଲ୍ଲେଖ କରିଥିଲେ। ସଭାରେ ସ୍ୱାସ୍ଥ୍ୟ, ବ୍ୟାଙ୍କ ଋଣ ଓ ମୌଳିକ ସୁବିଧା ସମ୍ପର୍କିତ ବିଭିନ୍ନ ସମସ୍ୟା ଉଠାଯାଇଥିଲା। ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ଡାକ୍ତର ଓ ଔଷଧର ଅଭାବ ଥିବାରୁ ସାଧାରଣ ରୋଗ ପାଇଁ ମଧ୍ୟ ଲୋକମାନେ ବାହାରକୁ ଯାଇ ଚିକିତ୍ସା କରିବାକୁ ବାଧ୍ୟ ହେଉଥିବା କୁହାଯାଇଥିଲା। ସେହିପରି ସରକାରୀ ଋଣ ସୁବିଧା ଥିଲେ ମଧ୍ୟ ଗରିବ ଲୋକଙ୍କୁ ସହଜରେ ଋଣ ମିଳୁନଥିବାରୁ ସେମାନେ ସାହୁକାରଙ୍କ ଉପରେ ନିର୍ଭରଶୀଳ ହୋଇ ଋଣଗ୍ରସ୍ତ ହେଉଥିବା ଅଭିଯୋଗ କରାଯାଇଥିଲା। ବକ୍ତାମାନେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବକ୍ସାଇଟ ଖଣି ପ୍ରକଳ୍ପକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ଆଦାନି ଓ ବେଦାନ୍ତ ଭଳି କମ୍ପାନୀଙ୍କୁ ଖଣି ଲିଜ୍ ପ୍ରଦାନ କରାଯାଉଥିବା ଅଭିଯୋଗ କରି ସେମାନେ କହିଥିଲେ ଯେ, ପାହାଡ଼ ଖନନ ଦ୍ୱାରା ଝରଣା ଓ ଜଳସ୍ରୋତ ଶୁଖିଯିବା ସହ ପରିବେଶ ଉପରେ କୁପ୍ରଭାବ ପଡ଼ୁଛି। ସିଜିମାଳିରୁ ବାଳଦା-ନାଗେଶ୍ୱରୀ ପାହାଡ଼ ପର୍ଯ୍ୟନ୍ତ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଆଦିବାସୀ ଓ ଦଳିତ ସମାଜ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଥିଲେ। ସଭାରେ ଓଡ଼ିଶା ରାଜ୍ୟ ଆଦିବାସୀ ଚାଷୀ ମୂଲିଆ ସଂଘର ସଭାପତି ବାସୁଦେବ ଦାସ, ରାଜ୍ୟ ସମ୍ପାଦକ ନିରାକାର ନାୟକ, କୋରାପୁଟ ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡ଼ ଆମା, ଜିଲ୍ଲା ସମ୍ପାଦକ ପିଡ଼ିକା ସୁରିଆମା, ଆନ୍ଧ୍ର ପ୍ରଦେଶ କ୍ଷେତ ମଜଦୂର ସଂଘର ସଭାପତି ଏଙ୍କାଟି ସ୍ୱାମୀ, ମାଣ୍ଡିଙ୍ଗ ଶ୍ରୀନୁ, କାଡ୍ରାକା ଆଦାନା, କେଣ୍ଡରୁକା ସୁବାରାଓଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ